ପରିବାରକୁ ସହାୟ ହେବାରେ ଆତ୍ମତୃପ୍ତି ନିଆରା

ଭଦ୍ରକ ଅଫିସ,୧୯।୭- ଦାରିଦ୍ର୍ୟ ଓ ଅସହାୟତା ଆଗରେ ହାର୍‌ ନ ମାନି ମନୋବଳକୁ ଦୃଢ କରି ଏକ ଚା’ ଦୋକାନ କରି ପରିବାର ସମ୍ଭାଳୁଛନ୍ତି ଶୁଭାରାଣୀ। ଦୀର୍ଘ ୧୨ ବର୍ଷ ଧରି ବରପଦା ବଜାରରେ ସେ ଏହି ଦୋକାନ କରି ଆସୁଛନ୍ତି। ସରକାର ଓ ପ୍ରଶାସନଠାରୁ କୌଣସି ସହାୟତା ମିଳି ନ ଥିଲେ ମଧ୍ୟ ସେ ନିଜେ ପରିଶ୍ରମ କରି ନିଜ ଅସହାୟ ମା’ ଓ ସାନ ଭଉଣୀ ଭାଇଙ୍କୁ ସାହା ହୋଇ ବେଶ୍‌ ଆତ୍ମତୃପ୍ତି ପାଇ ପାରୁଛନ୍ତି ବୋଲି କହିଛନ୍ତି।
ଶୁଭାରାଣୀଙ୍କ ଜୀବନ ସଂଘର୍ଷର କାହାଣୀ ଶୁଣିଲେ ଯେ କେହି ସମବେଦନା ନ ଜଣାଇ ରହି ପାରନ୍ତି ନାହିଁ। ଗରିବ, ଅସହାୟ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଥିବା ବେଳେ ଏଭଳି ଅସହାୟ ପରିବାର ସେଥିରୁ ବଞ୍ଚିତ ହେବା ଏକ ବିଡମ୍ବନା। ଶୁଭାରାଣୀ କହନ୍ତି, ତାଙ୍କ ବାପା ବାବୁଲାଲ ବେହେରା ଦୀର୍ଘ ୧୫ ବର୍ଷ ହେବ ଘରଛାଡି କେଉଁଆଡେ ଚାଲିଯାଇଛନ୍ତି। ତାଙ୍କ ବଡ ଭଉଣୀ ମଧ୍ୟ ୧୨ ବର୍ଷ ଧରି ବାପାଙ୍କ ଭଳି ପାଗଳ ହୋଇ କେଉଁଆଡେ ପଳାଇ ଯାଇଛନ୍ତି। ଏଭଳି ସ୍ଥିତିରେ ଘରେ ଥିବା ଦୁଇ ସାନ ଭାଇ ଓ ଜଣେ ଭଉଣୀଙ୍କୁ ମଣିଷ କରିବା ଓ ମା’ ସୁଶୀଳା ବେହେରାଙ୍କୁ ସାହା ହେବା ଲାଗି ସେ ୮ମ ଶ୍ରେଣୀରୁ ପାଠ ପଢା ଛାଡି ଚା’ ଦୋକାନକୁ ଆଦରି ନେଇଛନ୍ତି। ଏହାମଧ୍ୟରେ ଜଣେ ବଦାନ୍ୟ ବ୍ୟକ୍ତି ତାଙ୍କର ସାନ ଭଉଣୀଙ୍କୁ ନେଇ ଏକ ଶିକ୍ଷାନୁଷ୍ଠାନରେ ପାଠ ପଢାଉଛନ୍ତି।
୨୪ ବର୍ଷ ବୟସ୍କା ଶୁଭାରାଣୀଙ୍କ ଘର ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତ କୁସୁନନଗର ଡଙ୍କାଗଡିଆ ଗ୍ରାମରେ । ଘରଠାରୁ କିଛି ଦୂର ବରପଦା ବଜାରରେ ସେ ଚା’ ଦୋକାନ କରି ପରିବାର ଚଳାଉଛନ୍ତି। ଦୋକାନରୁ ଯାହା ରୋଜଗାର ହୁଏ, ସେଥିରେ ଦୁଇ ସାନ ଭାଇଙ୍କ ପାଠପଢା ସମେତ ଘର ଖର୍ଚ୍ଚ ତୁଲାଇ ଆସୁଛନ୍ତି। ପ୍ରଶାସନଠାରୁ ଆରମ୍ଭ କରି ରାଜନେତା ସମସ୍ତେ ତାଙ୍କ ପରିବାରର ଅସହାୟତାକୁ ଅଣଦେଖା କରି ଆସିଥିବା ଶୁଭାରାଣୀ କ୍ଷୋଭର ସହ କହିଛନ୍ତି। ତଥାପି ପରିସ୍ଥିତି ଆଗରେ ସେ ହାର୍‌ ନ ମାନି ମନୋବଳକୁ ଦୃଢ କରି ପରିବାର ଲାଗି ନିଜେ ରୋଜଗାର କରି ପାରିିଛନ୍ତି। ପାଠ ପଢିବାକୁ ବହୁ ଇଚ୍ଛା ଥିଲେ ବି ସେଥିରୁ ବଞ୍ଚିତ ହୋଇ ଏବେ ସାନ ଭାଇଙ୍କୁ ଶିକ୍ଷିତ କରିବା ଲକ୍ଷ୍ୟରେ ଦିନ ବିତାଉଛନ୍ତି।

Share