ପରିବାରର ନାମରେ ଶପଥ କରନ୍ତୁ,ଜରୁରୀ କାମ ନ ଥିଲେ ଘରୁ ବାହାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୩(ବ୍ୟୁରୋ): ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ ଜିଲାକୁ ସମ୍ପୂର୍ଣ୍ଣ ତାଲାବନ୍ଦ ବା ଲକ୍‌ଡାଉନ୍‌ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କିଛି ଲୋକେ ଏହାର ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଏପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରାଣ ଖାଇବାକୁ ନିବେଦନ କରିଛନ୍ତି। ମଙ୍ଗଳବାର ନିଜ ଟୁଇଟର ପୃଷ୍ଠାରେ ଏକ ଭିଡିଓ ଶେୟାର କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଭାଇରସ୍‌ ବିଷୟରେ ଆପଣମାନେ ଭଲଭାବେ ଜାଣି ସାରିଲେଣି। ଏହି ଭାଇରସ୍‌ ଚାଇନାରେ ଥିଲା, ଦୂରରେ ଥିଲା। ଏବେ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ ମଧ୍ୟ ପହଞ୍ଚିଲାଣି, ସତର୍କ ନ ହେଲେ ଏହା ଘରକୁ ପଶିଯିବ। ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ ଦାୟିତ୍ୱ ହେଉଛି ଆମେ ଏହି ଭାଇରସ୍‌କୁ ଘରେ ପଶିବାକୁ ଦେବାନାହିଁ। ସେଥିପାଇଁ ଏହି ଲକ୍‌ଡାଉନ୍‌ କରାଯାଇଛି। ଗତ ୨୦ ବର୍ଷର ସେବା ମଧ୍ୟରେ ଓଡ଼ିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି। ସେଗୁଡ଼ିକ ଆପଣମାନେ ପାଳନ କରିଛନ୍ତି। ସେଥିପାଇଁ ମୁଁ ଆପଣଙ୍କ ପାଖରେ ଋଣି। ଆଜି ମୁଁ ଯେଉଁ ଅନୁରୋଧ କରିବାକୁ ଯାଉଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କାରଣ ଏବେ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ। ଆପଣ ସାବଧାନ ରହିଲେ କରୋନା ଭଳି ମହାମାରୀ ଘରକୁ ପଶିପାରିବ ନାହିଁ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ, ମା’ବାପାଙ୍କ ନାମରେ ଶପଥ ନେବା। କହିବା ମୁଁ ଶପଥ କରି କହୁଛି, ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ। ଅତି ଜରୁରୀ କାମ ନ ଥିଲେ ବାହାରକୁ ଯିବିନାହିଁ। ବାହାରକୁ ଗଲେ କରୋନା ମୋ ସାଥିରେ ଆସି ମୋ ପରିବାରର କ୍ଷତି କରିପାରେ। ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। କରେନା ଭାଇରସକୁ କେବେ ବି ଘରେ ପଶିବାକୁ ଦେବି ନାହିଁ। ମୋ ପରିବାର ପାଇଁ ବିପଦର କାରଣ ହେବି ନାହିଁ। ଏମିତି ଶପଥ ଦୈନିକ ଘରର ସମସ୍ତେ ନେବା, ଘରର କାନ୍ଥରେ ଲଗାଇବା। ଏପରିକି ଶପଥ ଭିଡିଓ ସୋସିଆଲ ମିଡିଆରେ ମୋ ପାଖକୁ ପଠାନ୍ତୁ। ଘରେ ରୁହନ୍ତୁ, ନିଜ ପରିବାରକୁ ବଞ୍ଚାନ୍ତୁ ବୋଲି ସେ କହିଛନ୍ତି।

 

Share