ପରିବାରର ବୋଝ ନୁହନ୍ତି ଦିବ୍ୟାଙ୍ଗ

ଫୁଲବାଣୀ ଅଫିସ,୪ା୧୨-ଦିବ୍ୟାଙ୍ଗମାନେ ପରିବାର କିମ୍ବା ସମାଜର ବୋଝ ନୁହଁନ୍ତି ବୋଲି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପ୍ରକାଶ କରଛନ୍ତି। ଫୁଲବାଣୀସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହେଲେନ୍‌ କେଲେର୍‌, ଗ୍ରାହାମ୍‌ ବେଲ୍‌, ରବୀନ୍ଦ୍ର ଜୈନ, ସୁଧା ଚନ୍ଦ୍ରନ୍‌, ଆଦି ବ୍ୟକ୍ତିବିଶେଷଙ୍କ ଉଦାହରଣ ଦେବା ସହ ନିଜର ଦିବ୍ୟାଙ୍ଗ ପୁଅ କିଭଳି ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇପାରିଛନ୍ତି ତାହା ବକ୍ତବ୍ୟ ମାଧ୍ୟମରେ କହିଥିଲେ। ତେଣୁ ଦିବ୍ୟାଙ୍ଗ ଶିଶୁଙ୍କ ମା’ବାପା ଧୈର୍ଯ୍ୟହରା ନ ହୋଇ ପ୍ରଥମେ ପିଲାର ମାନସିକତାକୁ ସୁଦୃଢ଼ କରିବାକୁ ସେ ଆହ୍ବାନ ଦେଇଥିଲେ।
ସଭାରେ କନ୍ଧମାଳ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରୀରିକ ଅକ୍ଷମତା ଏକ ଅଭିଶାପ ନୁହେଁ ବୋଲି କହିଥିଲେ। ଦିବ୍ୟାଙ୍ଗଙ୍କ ପ୍ରତିଭା ବିକାଶ ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ସେଥିରେ ସାମିଲ ହେବାକୁ ଉପସ୍ଥିତ ଦିବ୍ୟାଙ୍ଗମାନଙ୍କୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ରାଜ୍ୟଶ୍ରୀ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାଲିଗୁଡ଼ାସ୍ଥିତ ବନବାସୀ ସେବା ସମିତିର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା, ଜିଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୋଟଗଡ଼ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁନୀଲ ବିଶିମାଝି ଏବଂ ଘୁ.ଉଦୟଗିରି ଏମ୍‌.ଏମ୍‌. ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରୀତିଜୀନା ପ୍ରଧାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। କେତେକ ଦିବ୍ୟାଙ୍ଗଙ୍କୁ ତିନିଚକିଆ ସାଇକେଲ ଏବଂ ଅନ୍ୟାନ୍ୟ ସହାୟକ ଉପକରଣ ବିତରଣ କରାଯାଇଥିଲା। ପୂର୍ବାହ୍ନରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବଳରାମ ସେଠୀ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ କର୍ମଚାରୀ ହରପ୍ରସାଦ ମହାପାତ୍ର ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Share