Advertisement

ପରିବାରର ୪ ସଦସ୍ୟଙ୍କୁ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା,ସୁନାଗହଣା

ଆଳି,୩୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ହାଡ଼ିବନ୍ଧୁ ସାହୁଙ୍କ ଘରେ ଡକାୟତି କରିବା ସହ ଘରର ସଦସ୍ୟଙ୍କୁ ଡକାୟତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତମାନେ ସମସ୍ତେ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଭରତପୁର ହାଡ଼ିବନ୍ଧୁ ସାହୁଙ୍କ ଗ୍ରୀଲ୍‌ ଭାଙ୍ଗି ଡକାୟତି କରିବାକୁ ବିଦ୍ୟୁତ ବିଚ୍ଛିନ୍ନ କରି ଘରେ ପଶିଥିଲେ। ଘରଲୋକ ଉଠିପଡ଼ି ପ୍ରତିବାଦ କରିବାରୁ ଡକାୟତମାନେ ମାରଣାସ୍ତ୍ରରେ ଘରମାଲିକ ହାଡ଼ିବନ୍ଧୁ(୭୨), ତାଙ୍କ ସ୍ତ୍ରୀ ଭଗବତୀ(୬୨), ବୋହୂ ଉର୍ମିଳା (୩୮) ଓ ପୁଅ ବାସୁଦେବ(୪୦)ଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା,ସୁନାଗହଣା ଲୁଟି ନେଇଛନ୍ତି। ଆହତମାନଙ୍କୁ ଗ୍ରାମବାସୀ ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ସହ ପ୍ରତିବାଦରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share