ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା

କରାଚୀ, ୨୯ା୧: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପ୍ରେମ ବ୍ୟାପାରକୁ ନେଇ ଗୋଟିଏ ପରିବାରର ୬ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ବ୍ରୋହି ଆଦିବାସୀ ସମ୍ପ୍ରଦାୟର ଝିଅ ନସ୍‌ରିନ୍‌ ମୁର୍ତାଜା ରିଣ୍ଡ୍‌ଙ୍କୁ ପ୍ରେମ ବିବାହ କରି ତାଙ୍କ ଘରେ ରହିଆସୁଥିଲେ। ୨୦୧୮ ଜାନୁୟାରୀରୁ ସ୍ବାମୀ-ସ୍ତ୍ରୀ ଏକାଠି ଖୁସିରେ ରହୁଥିଲେ। ଏହା ଜାଣିପାରି ନସ୍‌ରିନ୍‌ଙ୍କ ବାପା ରଫିକ୍‌ ଓ ତାଙ୍କ ସମ୍ପର୍କୀୟମାନେ ସୋମବାର ରାତିରେ ରିଣ୍ଡ୍‌ଙ୍କ ଘରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଘରେ ଶୋଇଥିବା ରିଣ୍ଡ୍‌ ଓ ତାଙ୍କ ଦୁଇଭାଇ, ଦୁଇ ଭଉଣୀ ଓ ଜଣେ ଶିଶୁ ଏହାଦ୍ୱାରା ପ୍ରାଣ ହରାଇଥିବାବେଳେ ଅନ୍ଧାରର ସୁଯୋଗ ନେଇ ନସ୍‌ରିନ୍‌ ଖସିପଳାଇ ପୋଲିସର ସୁରକ୍ଷା ଲୋଡ଼ିଥିଲେ। ପୋଲିସ ରଫିକ୍‌ ଓ ତାଙ୍କ ଭାଇମାନଙ୍କୁ ଏବେ ଖୋଜୁଥିବା ଜଣାପଡ଼ିଛି। ଏନେଇ ନସ୍‌ରିନ୍‌ ମିଡିଆରେ କହିଛନ୍ତି, ରିଣ୍ଡ୍‌ ଓ ବ୍ରୋହି ପରିବାର ମଧ୍ୟରେ ଆଦିବାସୀ କାଉନ୍‌ସିଲରେ ବୁଝାମଣା ହୋଇଥିଲା। ରିଣ୍ଡ୍‌ ଏଥିଲାଗି ୧.୨ ନିୟୁତ ଜରିମାନା ମଧ୍ୟ ଦେଇଥିଲେ। ପରେ ସେ ନିଜ ଘରକୁ ଆସିଥିଲେ ହେଁ ପରିବାର ଲୋକେ ମାଡ଼, ଗାଳି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଜାଟୋଇ ଆଦିବାସୀଙ୍କୁ ବିକ୍ରିକରି ଦେବାରୁ ସେ କୌଶଳକ୍ରମେ ଖସିଆସି ରିଣ୍ଡ୍‌ଙ୍କ ସହ ଖୁସିରେ ରହିଆସୁୁଥିଲେ। ପାକ୍‌ ମାନବାଧିକାର କମିଶନ ମତ ଅନୁଯାୟୀ, ପ୍ରତିବର୍ଷ ପରିବାରର ବିନା ସହମତିରେ ଅନ୍ୟ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖୁଥିବା ପ୍ରାୟ ୧୦୦୦ ଯୁବତୀ ଓ ମହିଳାଙ୍କୁ ପାକିସ୍ତାନରେ ହତ୍ୟା କରାଯାଇଥାଏ। ଏହି ହତ୍ୟା ସେମାନଙ୍କ ଭାଇ, ବାପା ଓ ପରିବାର ସଦସ୍ୟମାନେ କରିଥାନ୍ତି। ଏମିତିକି, ଏଭଳି ଯୁବତୀଙ୍କୁ ପୋଡ଼ି ମାରି ଦିଆଯାଇଥାଏ ବୋଲି କୁହାଯାଇଛି।

Share