ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ

ଖଇରା, ୧୮।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରେ ବିଭ୍ରାଟ ଦେଖାଦେଇଛି । ଏଥିଯୋଗୁ ଅସ୍ତ୍ରୋପଚାର ପାଇଁ ଆସିଥିବା ମହିଳା ଓ ସେମାନଙ୍କର ଅଭିଭାବକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଗୁରୁବାର ଅସ୍ତ୍ରୋପଚାର ପାଇଁ ମହିଳାମାନଙ୍କୁ ସକାଳେ ଆସିବାକୁ ବିଭିନ୍ନ ଆଶା କର୍ମୀଙ୍କ ଦ୍ୱାରା ଖବର ଦିଆଯାଇଥିଲା । ସକାଳ ୮ଟାରେ ୭୦ରୁ ଊର୍ଦ୍ଧ୍ୱ ମହିଳା ଅସ୍ତ୍ରୋପଚାର ପାଇଁ ଆସି ଅପେକ୍ଷା କରିଥିଲେ । ଅସ୍ତ୍ରୋପଚାର ପାଇଁ ଦାୟିତ୍ୱରେ ଥିବା ୨ଜଣ ଡାକ୍ତର ଅପରାହ୍ନରେ ପହଞ୍ଚି ଅସ୍ତ୍ରୋପଚାର ଆରମ୍ଭ କରିଥିଲେ। ସନ୍ଧ୍ୟା ହେବା କାରଣରୁ ଦୂରରୁ ଆସିଥିବା ମହିଳାମାନେ ପଳାଇଥିଲେ । ସେପଟେ ଅସ୍ତ୍ରୋପଚାର ପରେ ମହିଳାମାନଙ୍କୁ ତଳ ଚଟାଣରେ ଶୁଆଇ ଦିଆଯିବା ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେହିଭଳି ଅସ୍ତ୍ରୋପଚାର ପରେ ଗାଡିରେ ୪ଜଣଙ୍କୁ ନେଇ ଯିବା ସ୍ଥାନରେ ଗୋରୁ ବୋଝେଇ କରି ୭ରୁ ୮ଜଣ ନିଆଯିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ଅନ୍ୟ ଉପାୟ ନ ପାଇ ସେଥିରେ ଯିବାକୁ ବାଧ୍ୟ ହୋଇଥିଲେ । ଏ ସମ୍ପର୍କରେ ଦାୟିତ୍ୱରେ ଥିବା ଅଧିକାରିଣୀ(ପିଏଚଓ) ସଞ୍ଜୁକ୍ତା ପଣ୍ଡାଙ୍କୁ ପଚାରିବାରେ ଡାକ୍ତରମାନେ ସାମାନ୍ୟ ବିଳମ୍ବରେ ପହଞ୍ଚିବାରୁ ସାମାନ୍ୟ ଅସୁବିଧା ଦେଖାଦେଇଥିଲା ା ତେବେ ସମସ୍ତଙ୍କୁ ଛାଡିବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ା