Categories: ରାଜ୍ୟ

ପରିବାର ନିୟୋଜନ ଅସ୍ତ୍ରୋପଚାରରେ ତ୍ରୁଟି: ମୂତ୍ରନଳୀ କାଟିଦେଲେ ଡାକ୍ତର

ନୟାଗଡ଼ ଅଫିସ,୧୭।୭-ନୟାଗଡ଼ ଜିଲା ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ସମୟରେ ଡାକ୍ତର ମୂତ୍ରନଳୀ କାଟି ଦେଇଛନ୍ତି। ଏହା ଡାକ୍ତର ନିଜେ ମହିଳାଙ୍କ ପରିବାର ସଦସ୍ୟଙ୍କୁ ଜଣାଇଛନ୍ତି। ତେବେ ଡାକ୍ତରଙ୍କ ଖାମଖିଆଲ ମନୋଭାବ ଯୋଗୁ ଏହିଭଳି ତ୍ରୁଟି ହେଲା ବୋଲି ମହିଳାଙ୍କ ସ୍ବାମୀ ଦଶପଲ୍ଲ୍ଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ହୋଇଥିବା ଅଭିଯୋଗ ଅନୁସାରେ, ଦଶପଲ୍ଲା ବ୍ଲକ ଖଣ୍ଡପଡ଼ା ଗ୍ରାମର ରାମଚନ୍ଦ୍ର ବରାଡ଼ଙ୍କ ସ୍ତ୍ରୀ କାଳିଆ ବରାଡ଼ ସୋମବାର ପୂର୍ବାହ୍ନ ୧୦ଟାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ପାଇଁ ଦଶପଲ୍ଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ମଧ୍ୟାହ୍ନ ୧୨ଟାରେ ଡାକ୍ତର କାଳିଆଙ୍କ ଅସ୍ତ୍ରୋପଚାର କରାଇଥିଲେ। ମହିଳାଙ୍କ ଶିରା ଖୋଜି ନ ପାଇବାରୁ ଭୁଲବଶତଃ ମୂତ୍ରନଳୀ କାଟି ଦେଇଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ମୂତ୍ରନଳୀ କଟିଯିବା ଫଳରେ କାଳିଆଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ବର୍ତ୍ତମାନ ସେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମହିଳାଙ୍କ ସ୍ବାମୀ ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ( ସିଡିଏମ୍‌ଓ) ଡା. ଶ୍ୱେତ ମହାପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ପରିବାର ନିୟୋଜନ ସମୟରେ ଅନେକ କ୍ଷେତ୍ରରେ ଏହିଭଳି ଘଟିଥାଏ। ଏହି ଘଟଣା ପରେ ସମ୍ପୃକ୍ତ ଡାକ୍ତର ମୂତ୍ରନଳୀର ଚିକିତ୍ସା କରିଛନ୍ତି। ବର୍ତ୍ତମାନ ମହିଳାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଆଣ୍ଟିବାୟୋଟିକ୍‌ ଦିଆଯାଉଛି। ୭ ଦିନ ଭିତରେ ସେ ସୁସ୍ଥ ହୋଇଯିବେ ବୋଲି ସିଡିଏମ୍‌ଓ ପ୍ରକାଶ କରିଥିଲେ। ଏ ନେଇ ଦଶପଲ୍ଲ୍ଲା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟଙ୍କୁ ପଚାରିବାରୁ ଥାନାରେ ଏହିଭଳି ଅଭିଯୋଗ ହୋଇଥିବା ବେଳେ ଏହାର ତଦନ୍ତ କରାଯାଉଥିବା ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲାରେ ପରିବାର ନିୟୋଜନ ଅସ୍ତ୍ରୋପଚାର ଲାଗି ୧୮୪୦ଜଣଙ୍କୁ ଚିହ୍ନଟ କରାଯାଇଛି।
ଘଟଣା ପ୍ରତିବାଦରେ ମହିଳାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଦଶପଲ୍ଲା ଥାନା ଆଗରେ ରାସ୍ତାରୋକୋ କରାଯାଇଛି। ଖବର ଲେଖା ହେବା ଯାଏ ରାତି ୧୧ଟା ସୁଦ୍ଧା ରାସ୍ତାରୋକୋ ଜାରି ରହିଛି।

Share