ପରିବାର ଲୋକେ ଘରେ ପୂରାଇଲେନି

ସମ୍ବଲପୁର,୧୬।୫ (ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ନେଇ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସରକାର ଯେତେ ସଚେତନ ଓ ସୁବିଧା କଲେ ମଧ୍ୟ ସୁଫଳ ମିଳିପାରୁନାହିଁ। ସଚେତନତା ଅଭାବ ଯୋଗୁ ଭୟରେ ପରିବାର ନିଜ ଲୋକଙ୍କୁ ପର କରିଦେଉଛନ୍ତି। ସ୍ଥାନୀୟ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ମଧ୍ୟ ସ୍ଥାନ ଦିଆଯାଉନାହିଁ। ଫଳରେ ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଘେନୁପାଲି ଓ ବଡସାହିର ଗ୍ରାମର ଦୁଇ ଜଣ ଯୁବକ ଗଛ ତଳେ ୩ ଦିନ ହେଲା ଆଶ୍ରୟ ନେଇଥିଲେ। ଶେଷରେ ପ୍ରଶାସନ ସେମାନଙ୍କ ରହିବାକୁ ବାଧ୍ୟ ହୋଇ ବ୍ୟବସ୍ଥା କରିଛି। ବାଲେଶ୍ୱର ଜିଲା ଜଳେଶ୍ୱରରୁ ଫେରିଥିବା ଏହି ଯୁବକ ଦ୍ୱୟ କିନ୍ତୁ ହଟହଟା ହୋଇଛନ୍ତି।
ଏହି ଯୁବକ ଦ୍ୱୟ ହାର୍ଭେଷ୍ଟରରେ ଧାନକଟା କାମ କରିବା ପାଇଁ ଗତ ଏପ୍ରିଲ ୨୩ ତାରିଖରୁ ଜଳେଶ୍ୱର ଯାଇଥିଲେ। କିଛି ଦିନ କାମ କରିବା ପରେ ଗତ ୧୩ ତାରିଖରେ ଏମାନେ ଗାଁମକୁ ଫେରିଥିଲେ। ହଟ୍‌ସ୍ପଟ୍‌ ଅଞ୍ଚଳରୁ ଆସିଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରିବାର ବର୍ଗ ମଧ୍ୟ ଭୟଭୀତ ହୋଇପଡିଥିଲେ। ସେମାନଙ୍କୁ ଖାଇବାକୁ ଯୋଗାଇ ଦେଲେ । ଗରିବ ପରିବାର ହୋଇଥିବାରୁ ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଘରେ ସୁବିଧା ନାହିଁ। ତେଣୁ ଘରେ ପ୍ରତ୍ୟେକ ଦିନ ଖାଇବାକୁ ଦିଆଯିବ। ତୁମେ ବାହାରେ ରୁହ ବୋଲି ପରିବାର ଲୋକେ କହିଥିଲେ। ଗ୍ରାମବାସୀ ମଧ୍ୟ ସେମାନଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଥିଲେ। କୌଣସି ଉପାୟ ନ ପାଇ ଯୁବକ ଦ୍ୱୟ ଘେନୁପାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଏକ ଗଛମୂଳରେ ରହୁଛନ୍ତି। ତେବେ ଯଦିଓ ରାଜ୍ୟ ଭିତରୁ ଆସୁଥିବା ଲୋକଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବା ନିୟମ ନାହିଁ ତଥାପି ସେମାନଙ୍କ ରହିବାକୁ ଗାଁ ସ୍କୁଲରେ ବିକଳ୍ପ ବ୍ୟବସ୍ଥା କରାଯାଇଛି। ସେଠାରେ ସେମାନଙ୍କ ଲାଗି ଖାଦ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଯୁଯୁମୁରା ବିଡିଓ ସରୋଜ ବିଶ୍ୱାଳ କହିଛନ୍ତି।

Share