ଛତ୍ରପୁର, ୧୫।୪(ଡି.ଏନ୍.ଏ.): କରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲାର ଜିଲାପାଳଙ୍କ ଠାରୁ ଆରମ୍ଭକରି ସବୁ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ବିଭିନ୍ନ କାର୍ଯ୍ୟରେ ସାମିଲ ଅଛନ୍ତି। ସେମାନେ ଦିନରାତି ଏକକରି ଲୋକଙ୍କୁ ସଚେତନ କରିବା ସହ ଦୋକାନ ବଜାର ଓ କ୍ୱାରାଣ୍ଟାଇନ ସେଣ୍ଟର ଯାଞ୍ଚ କରୁଛନ୍ତି। କରୋନା ମୁକାବିଲା ପାଇଁ ସରକାରଙ୍କ ସମସ୍ତ ଗାଇଡ୍ଲାଇନକୁ କାର୍ଯ୍ୟକାରୀ କରୁଛନ୍ତି। ଅପରପକ୍ଷେ କାର୍ଯ୍ୟସାରି ଘରକୁ ଫେରିବା ପରେ ପରିବାର ସଦସ୍ୟଙ୍କ ଠାରୁ ସାମାଜିକ ଦୂରତା ରକ୍ଷାକରି ଜିଲାପାଳ ଓ ତାଙ୍କ ମମସ୍ତ ଷ୍ଟାଫ୍ ଅଲଗା ରହୁଛନ୍ତି। ଏ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିସହ ଷ୍ଟାଫ୍ମାନଙ୍କ ଏହି ତ୍ୟାଗ ପ୍ରଶଂସନୀୟ ବୋଲି ମଧ୍ୟ ସେ କହିଛନ୍ତି।
କ୍ୱାରାଣ୍ଟାଇନ ସେଣ୍ଟରରେ କେବଳ ପଜିଟିଭ ବାହାରିଛି। କମ୍ୟୁନିଟି ସଂକ୍ରମଣ ହୋଇ ନ ଥିବାରୁ ବ୍ୟସ୍ତ ହେବାର କାରଣ ନାହିଁ। ଗଞ୍ଜାମ ଜିଲା ନିୟନ୍ତ୍ରଣରେ ଅଛି ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷରେ ସାମାଜିକ ଦୂରତା ରକ୍ଷା ସହ ମାସ୍କ, ଗ୍ଳୋବ୍ସ ବ୍ୟବହାର, ସାନିଟାଇଜରରେ ହାତ ସଫା ଏବଂ କୋଭିଡ ଗାଇଡ୍ଲାଇନ ପାଳନ କଲେ କରୋନାକୁ ମୁକାବିଲା କରିହେବ ବୋଲି ସେ କହିଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ