Categories: ମେଟ୍ରୋ

ପରିବା ପାଇଁ ଗଲେ ନେଇପାରିବେନି ବାଇକ୍‌

ଭୁବନେଶ୍ୱର,୩୦ା୩(ବ୍ୟୁରୋ)- ଲକଡାଉନ ସମୟରେ ଅନେକ ଲୋକେ ପରିବା ପାଇଁ ଗଲେ ବାଇକ ନେଇଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ପରିବା ଆଣିବା ନଁାରେ ସହର ବୁଲୁଛନ୍ତି। ଏହାକୁ ଦେଖି କମିଶନରେଟ ପୋଲିସ ଅଧିକ କଠୋର ହୋଇଛି। ପୋଲିସ ଲକଡାଉନ ନିୟମକୁ କଡ଼ାକଡ଼ି କରିଛି। ଏଣିକି ପରିବା ଓ ରାଶନ କିଣାକିଣି ପାଇଁ ବାଇକ୍‌ ନେବାକୁ ବାରଣ କରିଛି ପୋଲିସ। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଚାଲି ଯିବା ପାଇଁ କୁହାଯାଇଛି। ଏହାକୁ କେହି ନ ମାନି ବାଇକ୍‌ ବାହାର କଲେ ଜବତ କରିବ। ଭୁବନେଶ୍ୱରରେ ସୋମବାର ବିଭିନ୍ନ ହାଟ ଓ ଛକରେ ଚେକିଂକୁ ଜୋରଦାର କରିଛି ପୋଲିସ। ଏକ ନମ୍ବର ହାଟରେ ପୋଲିସ ଏକାଧିକ ବାଇକ ଉଠାଇନେଇଛି। ପରିବା କିଣିବା ଲାଗି ବାଇକରେ ଆସିଥିବା ଲୋକଙ୍କଠାରୁ ଗାଡ଼ିକୁ ଜବତ କରାଯାଇଛି। ଏ ନେଇ ପୂର୍ବରୁ ମଧ୍ୟ ପୋଲିସ ଲୋକଙ୍କୁ ବୁଝାଇଥିଲେ ମଧ୍ୟ ଅଧିକାଂଶ ଏହାକୁ ଅବମାନନା କରିବାରୁ କମିଶନରେଟ ପୋଲିସ ଏଭଳି ନିଷ୍ପତ୍ତି ନେଇଛି। ଏଜି ଛକରେ ମଧ୍ୟ ଚେକିଂକୁ ଜୋରଦାର କରାଯାଇଛି। ଏ ନେଇ ଜୋନ-୧ ଏସିପି ମାନସ ଗଡ଼ନାୟକ କହିଛନ୍ତି, ଲୋକମାନଙ୍କୁ ପରିବା ଏବଂ ଅନ୍ୟ ଜରୁରୀ ସେବା ପାଇଁ ଚାଲିଚାଲି ଯାଇ ଆଣିବାକୁ କୁହାଯାଇଛି। ହେଲେ ସେମାନେ ଏହାକୁ ଖାତିରି ନ କରି ସହର ସାରା ବୁଲୁଛନ୍ତି। ତେଣୁ ସୋମବାରଠାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପରିବା ମାର୍କେଟ ନିକଟରୁ ଗାଡ଼ିଗୁଡିକୁ ଜବତ କରାଯାଉଛି।

Share