Categories: ଗଞ୍ଜାମ

ପରିବା ମାର୍କେଟ ଭଙ୍ଗା ପ୍ରତିବାଦରେ ଆନ୍ଦୋଳନ : ଜିଲାପାଳଙ୍କୁ ଫେରାଦ ହେଲେ ବ୍ୟବସାୟୀ

ପୁରୁଷୋତ୍ତମପୁର,୨୨ା୬(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଥିବା ପରିବା ମାର୍କେଟକୁ ଏନ୍‌ଏସି ପ୍ରଶାସନ ଦୋକାନ ଗୃହ ର୍ନିମାଣ କରିବା ଲାଗି ତରବରିଆ ଭାବେ ବୁଧବାର ଭାଙ୍ଗି ଦେଇଛି। ଫଳରେ ପରିବାର ବ୍ୟବସାୟୀ ଜୀବିକା ହରାଇଛନ୍ତି। ଏହାର ପ୍ରତିବାଦରେ ଶୁକ୍ରବାର ବ୍ୟବସାୟୀମାନେ ଏକାଠି ହୋଇ ଆନ୍ଦୋଳନକୁ ଓହ୍ଲାଇବା ସହ ପରିବା ମାର୍କେଟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଏହାସହ ବ୍ୟସାୟୀମାନେ ଛତ୍ରପୁର ଯାଇ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ସମାଧାନ ଲାଗି ବ୍ୟବସାୟୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ମାତ୍ର ଏହାର ସମାଧାନ ପ୍ରଶାସନ ନକରିବା ପର୍ଯ୍ୟନ୍ତ ପରିବା ବିକ୍ରି ସମ୍ପୂର୍ଣ୍ଣ ରୁପେ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଆସିକା-ହୁମ୍ମା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱରେ ପରିବା ମାର୍କେଟକୁ ଲାଗି ଏନ୍‌ଏସି ପ୍ରଶାସନ କିଛି ଦୋକାନ ଘର ର୍ନିମାଣ କରି ଭଡାରେ ଦେଇଥିଲେ। ମାତ୍ର ରାସ୍ତା ସମ୍ପ୍ରସାରଣ ଯୋଗୁ ଉକ୍ତ ଦୋକାନ ଘର ଗୁଡିକ ଭାଙ୍ଗି ଦିଆଯାଇଥିଲା। ଯାହାକି ଏହି ଦୋକାନ ଘରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଥଇଥାନ କରିବା ଲାଗି ଏନଏସି ପ୍ରଶାସନ ଗରିବ ପନିପରିବା ବ୍ୟସାୟୀମାନଙ୍କ ଦୋକାନ ଭାଙ୍ଗି ସେହି ସ୍ଥାନରେ ଦୋକାନ ଘର ର୍ନିମାଣ କରିବାକୁ ଯାଉଛନ୍ତି। ଯାହାକି ଏଠାରେ ଏନଏସି ପ୍ରଶାସନର ଝିଣ୍ଟିକା ମାରି ବଣି ପୋଷିବା ନୀତିକୁ ଦର୍ଶାଉଛି। ଆଗୁଆ ନୋଟିସ ନକରି ମଙ୍ଗଳବାର ସନ୍ଧ୍ୟାରେ ପରିବା ମାର୍କେଟର ଏକ ଇଲେକ୍ଟ୍ରି ପୋଲରେ ନୋଟିସ ମାରି ବୁଧବାର ଦୋକାନ ଭାଙ୍ଗି ଦେଇଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ତିନି ଦିନ ମଧ୍ୟରେ ଯଦି ପ୍ରଶାସନ କୌଣସି ପଦକ୍ଷେପ ନ ନେବ ତେବେ ଆନ୍ଦୋଳନ ତୀବ୍ରତର କରାଯାଇ ରାସ୍ତାକୁ ଓହ୍ଲାଇବୁ ବୋଲି ପରିବା ବ୍ୟବସାୟୀମାନେ କହିଛନ୍ତି।