ପରିବେଶ ପର୍ଯ୍ୟଟନ ଗ୍ରାମ ବାଢୁନଝରିଆ ସରଫଗଡ : ରାଜ୍ୟ ବାହାର ପର୍ଯ୍ୟଟକଙ୍କ ଜମୁଛି ଗହଳି

ଲେଫ୍ରିପଡା, ୩।୧୨(ଡି.ଏନ.ଏ) -ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତର ବାଢୁନଝରିଆ ଗ୍ରାମରେ ରହିଛି ସରଫଗଡ ପରିବେଶ ପର୍ଯ୍ୟଟନ ସ୍ଥଳୀ। ସ୍ଥାନୀୟ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠିରୁ ଗତ ୨୦୧୬ ମସିହାରେ ଏହା ନିର୍ମାଣ ଆରମ୍ଭ କରାଯାଇ ଜାନୁଆରୀ ୨୦୧୮ଠାରୁ କାର୍ଯ୍ୟକ୍ଷମ ହୋଇଛି। ବଣପାହାଡ ଘେରା ବାଢୁନଝରିଆ ଗ୍ରାମରେ ଅବସ୍ଥିତ ପରିବେଶ ପର୍ଯ୍ୟଟନସ୍ଥଳକୁ ଲାଗି ରହିଛି ସରଫଗଡ ଡ୍ୟାମ୍‌। ପ୍ରାକୃତିକ ସବୁଜ ସୌନ୍ଦର୍ଯ୍ୟରେ ପରିପୂଣର୍ର୍ ପରିବେଶ ପର୍ଯ୍ୟଟନସ୍ଥଳିକୁ ବର୍ତ୍ତମାନ ଶହଶହ ଜନସାଧାରଣ ସୁନ୍ଦରଗଡ଼ ଜିଲା ତଥା ରାଜ୍ୟର ଅନ୍ୟାନ୍ୟ ଜିଲାରୁ ଆସୁଛନ୍ତି। ତେବେ ଚଳିତବର୍ଷ ରାଜ୍ୟ ବାହାରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସି ଭିଡ ଜମାଉଥିବା ଦେଖିବାକୁ ମିଳିଛି। ଏଠାରେ ପର୍ଯ୍ୟଟକମାନଙ୍କ ରାତ୍ରିଯାପନ ପାଇଁ କଟେଜ ଏବଂ ଖାଇବା ବ୍ୟବସ୍ଥା ରହିଛି। ସରଫଗଡ ଡ୍ୟାମ୍‌ରେ ବୋଟ୍‌ ମାଧ୍ୟମରେ ନୌକା ବିହାର କରିବା ପାଇଁ ଜନସାଧାରଣଙ୍କୁ ବେଶ୍‌ ଆକର୍ଷିତ କରିଛି। ପର୍ଯ୍ୟଟକଙ୍କ ସେବା ନିମନ୍ତେ ବାଢୁନଝରିଆ ବନସୁରକ୍ଷା ସମିତିର ଯୁବତୀ ଯୁବକମାନେ ଆତ୍ମନିଯୁକ୍ତି ହୋଇଛନ୍ତି। ଯୁବତୀଯୁବକଙ୍କ ଦ୍ୱାରା ନିର୍ମାଣ କରାଯାଉଥିବା ସୁସ୍ବାଦୁ ଖାଦ୍ୟ ଏବଂ ବ୍ୟବହାର ପର୍ଯ୍ୟଟକଙ୍କ ପାଇଁ ମନଛୁଆଁ ହୋଇପାରିଛି। ଛୋଟ ପିଲାମାନଙ୍କ ପାଇଁ ଦୋଳି ସହ ବିଭିନ୍ନ ଝୁଲଣା ବ୍ୟବସ୍ଥା ରହିଥିବାରୁ ପିଲାମାନେ ଖୁସିରେ ମଜି ଯାଇଥାନ୍ତି। ପର୍ଯ୍ୟଟନସ୍ଥଳ ସୁନ୍ଦରଗଡ ଜିଲା ବନବିଭାଗ ଦାୟିତ୍ୱରେ ରହିଛି। ଏହାର ସୁରକ୍ଷା ଏବଂ ପରିଚାଳନା ପାଇଁ ବନସୁରକ୍ଷା ସମିତି ରହିଛି। ପର୍ଯ୍ୟଟକମାନେ ଏଠାରେ ରହିବା ପାଇଁ ଅନ୍‌ଲାଇନ ଦ୍ୱାରା ବୁକିଂ ବ୍ୟବସ୍ଥା ଥିବାରୁ ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ବେଶ୍‌ ଗହଳି ହେବା ଦେଖାଦେଇଛି। ଅନ୍ୟପକ୍ଷରେ ପର୍ଯ୍ୟଟନସ୍ଥଳ ନିକଟରେ ପର୍ଯ୍ୟଟକମାନଙ୍କୁ ବଣଭୋଜି କରିିବା ପାଇଁ ପ୍ରଶାସନ ପକ୍ଷରୁ ମନା କରାଯାଇଥିବା ବେଳେ ଡ୍ୟାମ୍‌ କଡରେ ବଣଭୋଜି ସାରି ପର୍ଯ୍ୟଟନସ୍ଥଳରେ ପରିଦର୍ଶନ କରି ପର୍ଯ୍ୟଟକମାନେ ମଜା ଉଠାଇଛନ୍ତି। ବନସୁରକ୍ଷା ସମିତିର ଯୁବତୀଯୁବକମାନଙ୍କ ଦ୍ୱାରା ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରାଯାଇ ପରିବେଶ ସୁରକ୍ଷା ଦିଗରେ ସତର୍କ କରାଯାଇଥିବାରୁ ପର୍ଯ୍ୟଟକମାନେ ସ୍ବାଗତ ଜଣାଇଛନ୍ତି।

Share