ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ପରିବେଶ ଉପରେ ମଧ୍ୟ ନିର୍ଭର କରିଥାଏ। ଗୋଟିଏ ଋତୁରେ ସେମାନଙ୍କ ମଧ୍ୟରେ ନିବିଡ଼ତା ବଢୁଥିବାବେଳେ ଅନ୍ୟ ଋତୁରେ ସେମାନେ ପରସ୍ପରଠାରୁ ଦୂରେଇ ରହିବାକୁ ପସନ୍ଦ କରନ୍ତି। ଗ୍ରୀଷ୍ମଋତୁରେ ଏଭଳି ଘଟଣା ଅଧିକ ଘଟିଥାଏ ବୋଲି ଟୋକିଓ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଶୀତଦିନେ ଦମ୍ପତିଙ୍କ ମଧ୍ୟରେ ଆନ୍ତରିକତା ବଢୁଥିବାବେଳେ ଗ୍ରୀଷ୍ମଋତୁରେ ଅଧିକାଂଶକ୍ଷେତ୍ରରେ ସେମାନେ ପରସ୍ପରଠାରୁ ଦୂରେଇ ଯାଇଥାନ୍ତି। ଶୀତଋତୁରେ ଥଣ୍ଡା ଯୋଗୁ ଅନେକଙ୍କ ମଧ୍ୟରେ ନୈରାଶବୋଧ ବୃଦ୍ଧି ପାଇଥାଏ। ସେମାନେ ବିଷାଦଗ୍ରସ୍ତ ହୋଇଥାନ୍ତି। ଏହି ସମୟରେ ଅନେକ ଲୋକ ସାଥିଟିଏ ଖୋଜିଥାନ୍ତି। ମାତ୍ର ଗ୍ରୀଷ୍ମଋତୁରେ ସୂର୍ଯ୍ୟାଲୋକ ପରିମାଣ ବଢ଼ିବା ସହିତ ଶରୀରରେ କମ୍ ପରିମାଣର ମେଲାଟୋନିନ୍ ହରମୋନ୍ କ୍ଷରଣ ହୋଇଥାଏ। ଏହାଦ୍ୱାରା ଶରୀର ସତେଜ ଅନୁଭବ କରିଥାଏ। ସେହିପରି ଗ୍ରୀଷ୍ମଋତୁରେ ଅଧିକ ପରିମାଣରେ ସେରୋଟୋନିନ୍ ହରମୋନ୍ କ୍ଷରଣ ହୋଇଥାଏ। ଏହା ଯୋଗୁ ମନରେ ଖୁସୀ ଭାବ ଜାଗ୍ରତ ହୋଇଥାଏ। ଫଳରେ ମଣିଷ ମୁକ୍ତ ଭାବେ ଘୁରିବୁଲିବାକୁ ଚାହିଁଥାଏ। ଅପରପକ୍ଷରେ ଏହାର ବିପରୀତ ହରମୋନ୍ ଶୀତଋତୁରେ କ୍ଷରିତ ହୋଇଥାଏ। ଫଳରେ ମନ ବିଷାଦଗ୍ରସ୍ତ ରହିଥାଏ।