Categories: ରାଜ୍ୟ

ପରିବେଶ ସଚେତନତା ପାଇଁ ଅଭିନବ ପ୍ରୟାସ: ମହାପ୍ରସାଦ ବାଣ୍ଟି ଚାରା ଲଗାଇବାକୁ ପରାମର୍ଶ

ଖଣ୍ଡପଡ଼ା,୧୩ା୭(ସ୍ବ.ପ୍ର.): ସେ ଏମିତି ଜଣେ ବ୍ୟକ୍ତି, ଯାହାର ରାତି ପାହିଲେ ପରିବେଶ ଚିନ୍ତା । ସକାଳୁ ଚାରା, କୋଡ଼ି, ଶାବଳ ଓ ଗାଣ୍ଡୁଆ ଧରି ସେ ଚାରାରୋପଣ କରିବାରେ ବ୍ୟସ୍ତ ରହିଥାନ୍ତି । ଶୁକ୍ରବାର ବାହୁଡ଼ା ଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟରେ ସାଦାସିଧା ପୋଷାକ ପିନ୍ଧି, ବେକରେ ପରିବେଶ ସଚେତନତାଭିତ୍ତିକ ଏକ ପୋଷ୍ଟର ଝୁଲାଇ ସ୍ଥାନୀୟ ଅଞ୍ଚଳରେ ଗଛସାର୍‌ ଭାବେ ପରିଚିତ ଏହି ବ୍ୟକ୍ତି ଜଣକ ମହାପ୍ରସାଦ ବଣ୍ଟନ କରୁଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ଚାରାରୋପଣ କରି ବୃକ୍ଷଗୁଡ଼ିକର ବୃଦ୍ଧି ଓ ପରିବେଶ ସୁରକ୍ଷା ନିମନ୍ତେ ପରାମର୍ଶ ଦେଉଥିବା ଦେଖାଯାଇଥିଲା। ସେ ହେଉଛନ୍ତି ନୟାଗଡ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତସ୍ଥ କୃଷ୍ଣେଶ୍ୱର ପାଟଣା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ସାହୁ। ଜଙ୍ଗଲ, ବୃକ୍ଷଲତା ଓ ପ୍ରାଣୀଜଗତର ଦ୍ରୁତ ଅବକ୍ଷୟ ହେଉଥିବାବେଳେ ପଶୁପକ୍ଷୀଙ୍କୁ କିପରି ସୁରକ୍ଷା ଦିଆଯାଇପାରିବ, ଘରଚଟିଆ, ବାଇଚଢ଼େଇଙ୍କ ବଂଶବୃଦ୍ଧି କିପରି କରାଯାଇପାରିବ ସେଥିନିମନ୍ତେ ଅହରହ ଚେଷ୍ଟା କରୁଛନ୍ତି ଏହି ପରିବେଶପ୍ରେମୀ। କେହି କେହି ତାଙ୍କର ଏଭଳି କାର୍ଯ୍ୟକୁ ପାଗଳାମୀ ଭାବୁଥିଲେ ମଧ୍ୟ ପବିତ୍ର ଏକାଦଶୀ ତିଥିରେ କୁଡ଼ୁଆରୁ ମହାପ୍ରସାଦ ପାଇ ଅନେକ ଜଗନ୍ନାଥପ୍ରେମୀ ନିଜକୁ ଧନ୍ୟ ମନେ କରୁଥିଲେ । ସାହୁ ଫୋନ୍‌ ଉଠାଇବାବେଳେ ହାଲୋ ନ କହି ଜୟ ଜଗନ୍ନାଥ କହିବାକୁ ଲୋକଙ୍କୁ ପ୍ରୋତ୍ସାହିତ କରୁଥିଲେ। ଜଗତର କଲ୍ୟାଣ ପାଇଁ ଶ୍ରୀଜଗନ୍ନାଥଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିବା ସହିତ ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ଗଛସାର୍‌ ପରାମର୍ଶ ଦେଉଥିଲେ। ବୃକ୍ଷ ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବା ସହ ପୁରୁଣା ବର ଓ ଓସ୍ତ ବୃକ୍ଷର ସୁରକ୍ଷା ଦିଗରେ ଯତ୍ନଶୀଳ  ହେବାକୁ ସେ ଆହ୍ବାନ ଦେଇଥିଲେ ।

Share