ପରିବେଶ ସୁରକ୍ଷାରେ ଛାତ୍ରୀଛାତ୍ରଙ୍କ ଭୂମିକା ଆଲୋଚନା ଚକ୍ର:କଲାମଙ୍କ ଭଳି ସ୍ବପ୍ନ ଦେଖି ସାକାର କର

ପୁରୀଅଫିସ, ୧୪ା୭ : ଦିନକୁ ଦିନ ପରିବେଶ ନଷ୍ଟ ହେବାରେ ଲାଗିଛି। ରାସ୍ତା ସମ୍ପ୍ରସାରଣ ଲାଗି ରାସ୍ତାକଡରେ ରହିଥିବା ବହୁ ବଡ ବଡ ଗଛ କଟାଯାଉଛି। ତାହା ତୁଳନାରେ ଚାରା ରୋପଣ କରାଯାଉନାହିଁ। ଜଙ୍ଗଲ କ୍ଷୟ ହେଉଛି। ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଆଧୁନିକ ଜୀବନଶୈଳୀ ଏବଂ ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ମନୁଷ୍ୟ ନିଜ ସଂସ୍କୃତି ଠାରୁ ଦୁରେଇ ଯାଉଛି। ଫନୀ ପ୍ରଭାବରେ ବହୁ ଗଛ ନଷ୍ଟ ହୋଇଛି। ଏହାକୁ ଭରଣା କରିବା ଲାଗି ବହୁ ସମୟ ଲାଗିବ। ଏଣୁ ପରିବେଶ ସୁରକ୍ଷା ଲାଗି ସମସ୍ତେ ଆଗେଇ ଆସିବା ଦରକାର। ଏଥିରେ ଛାତ୍ରୀଛାତ୍ରଙ୍କ ଏକ ପ୍ରମୁଖ ଭୂମିକା ରହିଛି ବୋଲି ରବିବାର ପୁରୀ ସଦର ବ୍ଳକ ଅନ୍ତର୍ଗତ ଖଡିପଦା ଠାରେ ବିବେକ ଭାରତ ଯୁବ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ପରିବେଶ ସୁରକ୍ଷାରେ ଛାତ୍ରୀଛାତ୍ରଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ରରେ ସେଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଲକ୍ଷ୍ମୀ ନାରାୟଣ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି।
ଅଧ୍ୟାପକ ସୁକାନ୍ତ ମହାନ୍ତିଙ୍କ ସଭାପତିିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ମଲ୍ଳିକ କହିଲେ ଯେ, ଯୁବ ସମାଜ ଦେଶର ଭବିଷ୍ୟତ। ସେମାନଙ୍କ ଗଠନ ମୂଳକ ବିଚାରାଧାରା ଦେଶର ପ୍ରଗତି ସମ୍ଭବ। ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ ମ୍ୟାନ ଅବଦୁଲ୍‌ କଲାମଙ୍କ ଜୀବନୀ ଆଦର୍ଶ ସମ୍ପର୍କରେ ଆଲୋକପାତ କରି ଜୀବନରେ ବଡ ହେବାକୁ ହେଲେ ବଡ ବଡ ସ୍ବପ୍ନ ଦେଖ ଏବଂ ତାହାକୁ ସାକାର କରିବା ଲାଗି ଉଦ୍ୟମ କର ବୋଲି କହିଥିଲେ। ଶିକ୍ଷାବିତ୍‌ ଦିବାକର ତ୍ରିପାଠୀ, ନେହେରୁ ଯୁବ କେନ୍ଦ୍ର ସଂଯୋଜକ ଜୟଶଙ୍କର ଯୋଶୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରୀଙ୍କୁ ଉତ୍ତମ ଚରିତ୍ର ସମ୍ପର୍ଣ୍ଣ ଏବଂ ଶୃଙ୍ଖଳିତ ହେବା ଲାଗି ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରୀ ଅନ୍ନପୂର୍ଣ୍ଣା ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଖଡିପଦା ଠାରେ ଛାତ୍ରୀଛାତ୍ର, ଯୁବକ ସଂଘ କର୍ମକର୍ତ୍ତା ପ୍ରମୁଖ ମିିଳିମିଶି ଚାରାରୋପଣ କରିଥିଲେ। ଅଧ୍ୟାପକ ବିଶ୍ୱଜିତ୍‌ ଦାସ ଓ ଅନ୍ୟ ମାନେ ସହଯୋଗ କରିଥିଲେ।

Share