Advertisement
Categories: ବାଣିଜ୍ୟ

ପରିସଂଖ୍ୟାନ ବିଭାଗରେ ହେବ ପୁନର୍ଗଠନ;ଏନ୍‌ଏସ୍‌ଏସ୍‌ଓ ସହ ମିଶିଯିବ ସିଏସ୍‌ଓ

ନୂଆଦିଲ୍ଲୀ,୨୬-୫: ପରିସଂଖ୍ୟାନ ବିଭାଗର ପୁନର୍ଗଠନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବୟନ ମନ୍ତ୍ରଣାଳୟ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ସିଏସ୍‌ଓ)କୁ ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ(ଏନ୍‌ଏସ୍‌ଏସ୍‌ଓ)ରେ ମିଶ୍ରଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଗତ ୨୩ରେ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଦେଶର ପରିସଂଖ୍ୟାନ ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ମନ୍ତ୍ରଣାଳୟର କାର୍ଯ୍ୟକୁ ଏକିକୃତ କରିବା ତଥା ତାଳମେଳ ବସାଇବା ଉଦ୍ଦେଶ୍ୟରେ ଉକ୍ତ ମିଶ୍ରଣକୁ ଅନୁମତି ଦିଆଯାଉଛି। ପରିସଂଖ୍ୟାନ ଶାଖା, ମନ୍ତ୍ରଣାଳୟର ଏକ ଅଭିନ୍ନ ଅଙ୍ଗ ହେବ। ଏନ୍‌ଏସ୍‌ଏସ୍‌ଓର ଅଧ୍ୟକ୍ଷତା ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କ୍ରିୟାନ୍ବନୟନ ସଚିବ କରିବେ। ଏହାର ବିଭିନ୍ନ ବିଭାଗର ମହାନିର୍ଦ୍ଦେଶକମାନେ ସଚିବଙ୍କ ନିକଟରେ ଜବାବଦେହି ରହିବେ। ସୂଚନାଥାଉ କି, ସିଏସ୍‌ଓ ବୃହତ ଆର୍ଥିକ ପରିସଂଖ୍ୟାନ ଯେପରି କି ଜିଡିପି ଅଭିବୃଦ୍ଧି, ଔଦ୍ୟୋଗିକ ଉତ୍ପାଦନ ଏବଂ ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରୁଥିବା ବେଳେ ଏନ୍‌ଏସ୍‌ଏସ୍‌ଓ ସ୍ବାସ୍ଥ୍ୟ, ଶିକ୍ଷା, ଘରୋଇ ବ୍ୟୟ ଏବଂ ସାମାଜିକ ତଥା ଆର୍ଥିକ ସୂଚକାଙ୍କ ସହ ଜଡ଼ିତ ରିପୋର୍ଟ ଉପସ୍ଥାପନ ଏବଂ ସର୍ବେକ୍ଷଣ କରିଥାଏ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share