Categories: ଜାତୀୟ

ପରୀକ୍ଷାରେ ଭଲ ନମ୍ବର ଆଣିବା ନୁହେଁ ଗୁରୁତ୍ୱପୂର୍ଣ୍ଣ; ବିଫଳତା ପରେ ନ ଅଟକି ଆଗେଇବା ଉଚିତ: ମୋଦି

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷାର୍ଥୀଙ୍କ ମାନସିକ ଚାପ ହ୍ରାସ ପାଇଁ ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା-୨୦୨୦’ କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ବିଫଳତା ପରେ ନ ଅଟକି ଆଗେଇବା ଲାଗି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଜୀବନରେ ସଫଳତା ସହିତ କେତେକ ସମୟରେ ବିଫଳତା ମଧ୍ୟ ମିଳିଥାଏ। ତେବେ ବିଫଳତା ସମୟରେ ଧର୍ଯ୍ୟ ଧରି ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବା ହିଁ ଆବଶ୍ୟକ। ଚନ୍ଦ୍ରୟାନର ବିଫଳତାରେ ସେ ଶାନ୍ତିରେ ଶୋଇ ପାରି ନ ଥିଲେ। ତେବେ ପରବର୍ତ୍ତି ସମୟରେ ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଚିନ୍ତା କରିବା ଆରମ୍ଭ କରିଥିଲେ। ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଅବସାଦଠାରୁ ଦୂରେଇ ରହି କାର୍ଯ୍ୟ କରିବା ଆବଶ୍ୟକ ବୋଲି ମୋଦି ଉପସ୍ଥିତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ପରୀକ୍ଷାରେ ଭଲ ନମ୍ବର ଆଣିବା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜୀବନସାରା ପ୍ରତିଟି ସମୟରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଦୃଢ଼ ମନୋବଳ ନେଇ ଏହାର ସାମନା କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣ ତାଲକଟୋରା ଷ୍ଟାଡ଼ିୟମ୍‌ରେ ଆୟୋଜିତ ହୋଇଥିଲା।

Share