ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନର ଯୋଜନା

ଭୁବନେଶ୍ୱର,୧୬ା୧୦(ବ୍ୟୁରୋ): ଭୁବନେଶ୍ୱର ସ୍ଥିତ ୧୨୦ ଇନଫାଣ୍ଟରି ବାଟାଲିଅନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାରେ ଗୁରୁବାର ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଜନା କରାଯାଉଛି। ଗୁରୁବାର ପରୀକ୍ଷା ପାଇଁ ଉତ୍ତରାଖଣ୍ଡରୁ ପ୍ରାୟ ୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଏମାନେ ଫେରିବା ସମୟରେ ଅନ୍ୟ ସଂରକ୍ଷିତ ଟ୍ରେନରେ ଚଢ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ଟ୍ରେନ ପାଇଁ ଚିନ୍ତା ପୂର୍ବତଟ ରେଳପଥ ପକ୍ଷରୁ ଚିନ୍ତା କରାଯାଉଛି ବୋଲି ସୂଚନା ରହିଛି। ଏହି ଟ୍ରେନଟି ଭୁବନେଶ୍ୱରରୁ ଖଡ଼ଗପୁର ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ଷ୍ଟେଶନରୁ ଗହଳି କମାଇବା ସହ ପରିଚାଳନାରେ ସହାୟକ ହେବ। ପରୀକ୍ଷା ଆରମ୍ଭ ଦିନଠାରୁ ଭୁବନେଶ୍ୱର ଷ୍ଟେଶନରେ ରେଳ ଚଳାଚଳ କରିବା ଅସହଜ ହୋଇପଡ଼ିଛି। ପ୍ରତ୍ୟେକ ଦିନ ଆର୍ମି ପରୀକ୍ଷାର୍ଥୀ ବିଭିନ୍ନ ଟ୍ରେନରେ ଜବରଦସ୍ତି ଚଢ଼ିବା ସହ ଚେନ ଟାଣୁଥିବା ଘଟଣା ସାମ୍ନାକୁ ଆସୁଛି। ସ୍ବତନ୍ତ୍ରରେ ଟ୍ରେନ ହେଲେ ସଂରକ୍ଷିତ ଟ୍ରେନରେ ନ ଚଢ଼ିବା ଓ ଚେନ ପୁଲିଂକୁ ରୋକାଯାଇପାରିବ ବୋଲି ରେଳବାଇ ଅଧିକାରୀ କହିଛନ୍ତି। ତେବେ ୨୦ ଯାଏଁ ଚାଲିବାକୁ ଥିବା ପରୀକ୍ଷାରେ ଆଗକୁ ଝାରଖଣ୍ଡ ଓ ଛତିଶଗଡ଼ରୁ ମଧ୍ୟ ପିଲା ଆସିବେ। ତେବେ ସେମାନଙ୍କ ଆଗମନକୁ ଦେଖି ସ୍ବତନ୍ତ୍ର ଟ୍ରେନ କରାଯିବ କି ନାହଁି ଚିନ୍ତା କରାଯିବ ବୋଲି ରେଲଓ୍ବେ ପକ୍ଷରୁ କୁହାଯାଇଛି। ଯଦି ମାତ୍ରାଧିକ ସଂଖ୍ୟାରେ ପିଲା ଆସିବେ ତା’ହେଲେ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯିବ। କିନ୍ତୁ ପ୍ରଥମେ ଆଗନ୍ତୁକ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ନଜର ରଖାଯିବ ବୋଲି ଜଣାପଡ଼ିଛି।

Share