ଭୁବନେଶ୍ୱର,୨୧।୨(ବ୍ୟୁରୋ): ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଲଗାଯାଇଥିବା ସିସିଟିଭିକୁ ଜାଣିଶୁଣି ଭଙ୍ଗାଯାଉଛି। ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବାକୁ ତଥା ସିସିଟିଭିର ସୁରକ୍ଷା ଲାଗି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ନୋଟିସ ଜାରି କରିଛନ୍ତି। ଏଭଳି ଘଟଣା ଆଉ ଘଟିଲେ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ରହିବେ। କେବଳ ଦାୟୀ ନୁହେଁ, ସିସିଟିଭି ନଷ୍ଟ ହୋଇଥିବା ଉପକରଣର ସମସ୍ତ ଅର୍ଥ କ୍ଷତିପୂରଣ ଆକାରରେ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଆଦାୟ କରାଯିବ। ଯେକୌଣସି ମତେ ସିସିଟିଭିର ସୁଇଚ୍ ବନ୍ଦ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ପରୀକ୍ଷାର୍ଥୀ ଯଦି ଏ ଘଟଣାରେ ସମ୍ପୃକ୍ତ ଥାଆନ୍ତି, ତେବେ ସେମାନଙ୍କ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ କରାଯିବ ନାହିଁ। ମାଟ୍ରିକ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ଚାରିସ୍ତରୀୟ ସ୍କାଡ୍ ବ୍ୟବସ୍ଥା କରାଯାଇଛି। ଉତ୍ତେଜନା ପ୍ରବଣ କେନ୍ଦ୍ରଗୁଡ଼ିକରେ ଅଧିକ ପୋଲିସ ମୁତୟନ ସହ ପରୀକ୍ଷା କେନ୍ଦ୍ର ଚାରିପାଖରେ ଲୋକଙ୍କ ଭିଡ଼ ରୋକିବା ନିମନ୍ତେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୦୦୦ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ତେବେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜାଣିଶୁଣି ସିସିଟିଭି ଭଙ୍ଗାଯାଇଥିବା ଦେଖିବାକୁ ମିଳିଛି।