ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ଏଣିକି ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ଓ ପ୍ରଶ୍ନପତ୍ର ସେଟ୍‌ ବଢ଼ିବ। ସେହିଭଳି ମୂଲ୍ୟାୟନକାରୀଙ୍କ ପାଉଣା ମଧ୍ୟ ବଢ଼ାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ବୁଧବାର ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବୈଠକ ପରେ ମନ୍ତ୍ରୀ ସାହୁ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଖାତା ଦେଖା ପାଇଁ ୧୫ରୁ ୨୦ଟଙ୍କା ମିଳୁଥିବା ବେଳେ ଏବେ ଖାତା ଦେଖା ପାଇଁ ୩୦ଟଙ୍କା ମିଳିବ। ଏଥିସହ ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ପୂର୍ବରୁ ୫ଶହ ଟଙ୍କା ମିଳୁଥିଲା। ବର୍ତ୍ତମାନ ସେମାନଙ୍କୁ ୧ହଜାର ଟଙ୍କା ମିଳିବ। ସେହିଭଳି ୧୫ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ ବୋଲି ସେ କହିଛନ୍ତି।

ଏହି ବୈଠକରେ ସମସ୍ତ ବିଦ୍ୟାଳୟ କୂଳପତି ଓ ପରୀକ୍ଷା ନିୟନ୍ତ୍ରକଙ୍କ ସହ ମନ୍ତ୍ରି ଆଲୋଚନା କରିଥିଲେ। ଠିକ୍‌ ସମୟରେ ପରୀକ୍ଷା ଯେପରି ଶେଷ ହେବ ସେ ନେଇ ଆଲୋଚନା କରାଯାଇଥିଲା। ଏଥିସହ ଠିକ୍‌ ସମୟରେ ପରୀକ୍ଷା ଓ ଫଳ ପ୍ରକାଶ ପାଇଁ ଆଗୁଆ ପାଠ୍ୟକ୍ରମ ସାରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା।