ପରୀକ୍ଷା ନେଇ ଚିନ୍ତାରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୁଲାଇ ୬ରୁ ଆରମ୍ଭ ହେଉଥିବା ଯୁକ୍ତ ୩ ସେମିଷ୍ଟାର ତଥା ପିଜି ଶେଷବର୍ଷ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ କରୋନାର ପ୍ରକୋପ ବଢ଼ିଚାଲିଥିବା ବେଳେ ମହାବିଦ୍ୟାଳୟ ଛାତ୍ରୀଛାତ୍ର ସୋମବାର ଅଧ୍ୟକ୍ଷଙ୍କୁ ଭେଟି ପରୀକ୍ଷା ବାତିଲ୍‌ କିମ୍ବା କୌଣସି ବିକଳ୍ପ ବ୍ୟବସ୍ଥା ଗ୍ରହଣ ପାଇଁ ଦାବି କରିଛନ୍ତି। ଛାତ୍ରୀଛାତ୍ରଙ୍କର ଦାବି ଅନୁଯାୟୀ ବର୍ତ୍ତମାନ ସମୟରେ ବସ୍‌ ତଥା ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇ ନ ଥିବାରୁ ଛାତ୍ରୀଛାତ୍ରମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେବେ। ସ୍ଥାନୀୟ ହଷ୍ଟେଲ ତଥା ମେସ୍‌ ମାଲିକମାନେ ମଧ୍ୟ ବାହାରୁ ଆସୁଥିବା ଛାତ୍ରୀଛାତ୍ରମାନଙ୍କୁ ରଖିବା ପାଇଁ ରାଜି ହେଉନାହାନ୍ତି। ବର୍ତ୍ତମାନ ସମୟରେ ସେମାନଙ୍କଠାରୁ କରେନା ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହିଛି। ଏତଦ୍‌ବ୍ୟତୀତ ହଷ୍ଟେଲ ତଥା ମେସ୍‌ରେ ସାମାଜିକ ଦୂରତା ରଖିବା ସମ୍ଭବପର ନ ଥିବାରୁ କରୋନା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଏନେଇ ମହାବିଦ୍ୟାଳୟର ଛାତ୍ରୀଛାତ୍ର ସୌରଭ ଦାଶ, ମନୀଷ ଜୈନ, ସୁହାନା କାଦ୍ରି, ଶୁଭଙ୍କର ଦାଶ ପ୍ରମୁଖ କଲେଜ ଅଧ୍ୟକ୍ଷଙ୍କୁ ଭେଟିଥିଲେ। ଆଗାମୀ ଦିନରେ ଛାତ୍ରୀଛାତ୍ରଙ୍କର ଦାବି ପୂରଣ ନ ହେଲେ ସେମାନେ ଉଚ୍ଚଶିକ୍ଷା କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବେ ବୋଲି ସୋମବାର ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।