ପରୀକ୍ଷା ପାଇଁ ପ୍ରସ୍ତୁତି

ଡା. ସମ୍ରାଟ କର

ପରୀକ୍ଷା ପୂର୍ବରୁ ଓ ପରୀକ୍ଷା ସମୟରେ କିପରି ପ୍ରସ୍ତୁତ ହେବ ଜାଣିବା ଦରକାର। ପ୍ରଥମେ ଖାଇବା ଓ ଶୋଇବା ବିଷୟରେ ଆଲୋଚନା କରିବା। ଶୋଇବାର ପ୍ରାୟ ଅଧ ଘଣ୍ଟାଏ ପୂର୍ବରୁ ପଢ଼ିବା କଥା ନୁହେଁ। ପ୍ରତିଦିନ ୬ରୁ ୮ଘଣ୍ଟା ଶୋଇବା ଅଭ୍ୟାସ କର। ଠିକ୍‌ ଭାବେ ନ ଶୋଇଲେ, ଭାବନା ଠିକ୍‌ ହେବନାହିଁ। ପ୍ରଶ୍ନର ଉତ୍ତର ଭାବିକି ଲେଖିବାରେ ଅସୁବିଧା ହେବ। ମଧ୍ୟାହ୍ନ ଓ ରାତ୍ରିଭୋଜନର ଅଧ ଘଣ୍ଟାରୁ ଘଣ୍ଟାଏ ମଧ୍ୟରେ ପାଠ ପଢ଼ ନାହିଁ। ଏହି ସମୟରେ ପାକସ୍ଥଳୀକୁ ଅଧିକ ଓ ମସ୍ତିଷ୍କକୁ ଟିକିଏ କମ୍‌ ରକ୍ତ ସଞ୍ଚାଳନ ହୁଏ। ନିଦୁଆ ଲାଗେ। ପାଠ ମନେ ରହେ ନାହିଁ। ନିଜେ ନିଜକୁ ପ୍ରଶ୍ନ କରି ସୂଚୀ ପ୍ରସ୍ତୁତ କର। କେଉଁ ପାଠ ଅଛି? କେଉଁଟା ଗୁରୁତ୍ୱପୂର୍ଣ୍ଣ ପାଠ? କ’ଣ ମନେ ରହୁନାହିଁ? ପାଠଟି ବୁଝିକରି ମନେରଖିବା ପାଇଁ କେତେ ସମୟ ଲାଗିବ? ଏହାଠାରୁ ପ୍ରାୟ ଦେଢ଼ଗୁଣ ଅଧିକ ସମୟ ହାତରେ ରଖ। ନିଜର ସ୍କୁଲ, ଟିଉସନ୍‌, ଖାଇବା ଓ ଖେଳିବା ଇତ୍ୟାଦିରେ କେତେ ସମୟ ଯାଉଛି ଲେଖିରଖ। ତେଣୁ ଦିନର କେଉଁ ସମୟରେ କେତେ ପାଠ ପଢ଼ିବ ଜାଣିପାରିବ। ଗୃହିଣୀ ଓ ଚାକିରି କରି ପାଠ ପଢ଼ୁଥିବା ପିଲାମାନେ ଘରକାମ, ଅଫିସକାମ ଓ ପିଲାକାମ ସାରି ପଢ଼ି ବସନ୍ତୁ। ତା’ହେଲେ ମନ ଅସ୍ଥିର ହେବନାହିଁ। ପାଠରେ ମନ ଲାଗିବ। ପାଠପଢ଼ା ପରିବେଶକୁ ଠିକ୍‌ ରଖ। ପାଖରେ ଖାତା, ପେନ୍‌, ପେନ୍‌ସିଲ ଓ ଘଣ୍ଟାକୁ ରଖିବ। ବହିଗୁଡ଼ିକ ଠିକ୍‌ ଜାଗାରେ ଶୃଙ୍ଖଳିତ କରି ରଖିଲେ କାଢ଼ିବା ସମୟରେ ସହଜ ହେବ। ଏକାଥରକେ ଚାରି ପାଞ୍ଚଘଣ୍ଟା ବସି ପାଠ ପଢ଼ ନାହିଁ। ପ୍ରାୟ ୪୫ ମିନିଟ୍‌ରୁ ୧ ଘଣ୍ଟା ପଢ଼ିବା ପରେ ପାଞ୍ଚ ଦଶ ମିନିଟ୍‌ର ବ୍ରେକ୍‌ ନିଅ। ଏହି ସମୟରେ ଅଲଗା କିଛି କର। ପରୀକ୍ଷା ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତି : (କ) ଶେଷ ଦଶ ବର୍ଷର ପରୀକ୍ଷା ପ୍ରଶ୍ନ ଆଣି ପାଖରେ ରଖ। କେଉଁ ପ୍ରକାର ପ୍ରଶ୍ନ ପଡ଼ୁଛି ଲକ୍ଷ୍ୟ କର। ବର୍ତ୍ତମାନ ନିଜକୁ ପ୍ରଶ୍ନ କର ଯେ କେଉଁ ପ୍ରକାର ପଢ଼ିବ ଓ କିପରି? ନିଜ ପାଖରେ କ’ଣ ଅଛି? ବହି, ଟେଷ୍ଟପେପର ଓ ନୋଟସ୍‌ ଆଦିକୁ ଶୃଙ୍ଖଳିତ ଭାବେ ରଖ। (ଖ) ଯେ କୌଣସି ବିଷୟ ପଢ଼ିବା ସମୟରେ ଏହାର ଶିରୋନାମା ବା ଶୀର୍ଷରେ ଉଲ୍ଲେଖିତ ବିଷୟରେ ଥିବା ମୁଖ୍ୟ ଭାବନା ଭଲଭାବେ ବୁଝ ଓ ମନେରଖ। ଧୀରେ ଧୀରେ ବାକି ପାଠ ମଧ୍ୟ ମନେରହିବ। (ଗ) ଯେଉଁ ବିଷୟଟିକୁ ପଢ଼ିଲ, ସେ ବିଷୟଟିକୁ ପରେ ମନେ ପକାଅ, ଲେଖ ଓ ବନ୍ଧୁମାନଙ୍କ ସହିତ ଆଲୋଚନା କର। (ଘ) କେତେ ବୁଝିଲ ଓ ମନେ ରଖିଲ ଏହା ନିଜେ ନିଜକୁ ପ୍ରଶ୍ନ କର। ଆଉଥରେ ବିଷୟଟିକୁ ପଢ଼।
ପରୀକ୍ଷା ସମୟରେ ପିଲାମାନେ ଅଭିଯୋଗ କରନ୍ତି ଯେ, ମନ ଅସ୍ଥିର ରହୁଛି ଓ ପାଠ ମନେ ରହୁନାହିଁ। ପାଠ ପଢ଼ିବା ସମୟରେ ମନ ଅସ୍ଥିର ହୋଇପଡ଼େ। ବାହାରୁ ଦେଖିଲେ ଲାଗେ ଯେପରି ପିଲାଟି ପାଠ ପଢ଼ୁଛି। ମାତ୍ର ସେ ଖେଳ କଥା, ସାଙ୍ଗମାନଙ୍କ କଥା ଓ ଟିଭି କାର୍ଯ୍ୟକ୍ରମ ବିଷୟରେ ଭାବୁଥାଏ। ମନ ଅସ୍ଥିରତାର ମୁଖ୍ୟ କାରଣ ହେଉଛି ମାନସିକ ଚାପ। ଶାନ୍ତ ପରିବେଶରେ ପଢ଼। ଭଲ ଭାବେ ତାଲିକା ଓ ସୂଚୀ ପ୍ରସ୍ତତ କରି ସେଇ ଅନୁସାରେ ପାଠ ପଢ଼। ମନ ଅସ୍ଥିର ହେଲେ ନିଜେ ନିଜକୁ କୁହ ନା ମୁଁ ଏଥର ପାଠ ପଢ଼ିବି। କେତେ ଜଣ ପିଲା ପରୀକ୍ଷା ପୂର୍ବରୁ ଅତ୍ୟଧିକ ଛାନିଆ ହୋଇ ପାଠ ପଢ଼ନ୍ତି ନାହିଁ କିମ୍ବା ପାଠ ଭୁଲି ଯାଆନ୍ତି। ଭଲକରି ପାଠ ମନେଥିଲେ ମଧ୍ୟ ପରୀକ୍ଷାରେ ଲେଖିପାରନ୍ତି ନାହିଁ। ପରୀକ୍ଷା ପୂର୍ବରୁ ଅଳ୍ପ ଛାନିଆ ହେଲେ ଭଲ। ପାଠ ପଢ଼ାରେ ମନ ଲାଗିବ ଓ ମନେରଖିବା ସହଜ ହେବ। ମାତ୍ର ଅତ୍ୟଧିକ ଛାନିଆ କେବଳ ନିଜ ପାଇଁ ହିଁ ଖରାପ। ପରୀକ୍ଷା ବିଷୟରେ ଅତ୍ୟଧିକ ଭାବିଲେ ମନରେ ଛାନିଆ ପଶେ। ଯଥା – ପାଠ କିପରି ପଢ଼ିବି? କିପରି ମନେରଖିବି? ପ୍ରଶ୍ନ କଅଣ ପଡ଼ିବ? ପରୀକ୍ଷା ଫଳ କଅଣ ହେବ? ପରୀକ୍ଷା ଫଳ ଦେଖି ଅନ୍ୟମାନେ କଅଣ ଭାବିବେ ଓ କହିବେ? ଅଧିକାଂଶ ପିଲା ଅଭିଯୋଗ କରନ୍ତି ଯେ, ସ୍ମରଣ ଶକ୍ତି ବ୍ୟାଘାତ ହେଉଛି। ପରୀକ୍ଷା ପୂର୍ବରୁ ଭଲ କରି ପାଠପଢ଼ି ମନେରଖିଥିଲେ ମଧ୍ୟ କିଛି ପାଠ ମନେନାହିଁ ଓ ପରୀକ୍ଷାରେ ଫେଲ୍‌ ହେବେ।
ଛାନିଆ ହେବା କିପରି କମ୍‌ କରିବ? ପ୍ରଥମେ ମନେରଖିବା ଉଚିତ ଯେ, ପରୀକ୍ଷା ପୂର୍ବଦିନ ଠିକ୍‌ ଭାବେ ଖାଇବ ଓ ଶୋଇବ। ଅନ୍ୟଦିନଠାରୁ ଅଧିକ ବା କମ୍‌ ନୁହେଁ। ମନରୁ ଦୁଶ୍ଚିନ୍ତା ଦୂରକରି ଖୁସି ରହିବାକୁ ଚେଷ୍ଟା କରିବ। ପରୀକ୍ଷା ଦିନ ସକାଳେ ଅତି ତରତର ହୋଇ ଗାଧୋଇବା, ଖାଇବା ଉଚିତ ନୁହେଁ। ପ୍ରତିଦିନ ଯେପରି କର, ପରୀକ୍ଷାଦିନ ମଧ୍ୟ ସେହିପରି କରିବ। ଯେଉଁ ପିଲାମାନେ ଅତ୍ୟଧିକ ଛାନିଆ ହୁଅନ୍ତି ବା କରାନ୍ତି, ସେମାନଙ୍କଠାରୁ ଦୂରେଇ ରହିବ। ନିଜକୁ ନିଜେ ବୁଝାଅ ଓ ସାହସ ଦିଅ ମୁଁ ହୁଏତ ସବୁ ଉତ୍ତର ଜାଣି ନ ଥାଇପାରେ। ମୋର ହୁଏତ ପରୀକ୍ଷାରେ ସବୁ ମନେ ନ ପଡ଼ିପାରେ। ମୁଁ ପଢ଼ିଥିବା ପାଠ ଛଡ଼ା, ବାହାରୁ କିଛି ପ୍ରଶ୍ନ ପରୀକ୍ଷାରେ ପଡ଼ିପାରେ। ଏହା ସାଧାରଣ କଥା ଓ ସମ୍ଭବପର। ସବୁ ଠିକ୍‌ ହେବ। ପରୀକ୍ଷା ହଲକୁ ଆଗରୁ ଯାଇ ନିଜର ଚେୟାର ଖୋଜି ମନକୁ ସ୍ଥିର କରି ବସ। ମନକୁ ଶାନ୍ତ ରଖି ପରୀକ୍ଷା ପ୍ରଶ୍ନ ପଢ଼ିବା ଆରମ୍ଭ କର। ଯେଉଁ ପ୍ରଶ୍ନର ଉତ୍ତର ଭଲ ଭାବେ ଆସୁଛି, ତାହାକୁ ପ୍ରଥମେ ଲେଖିବା ପୂର୍ବରୁ ଉତ୍ତରର ସଂକ୍ଷିପ୍ତ ବିବରଣୀ ମନରେ ଭାବିନିଅ। ପରୀକ୍ଷା ସମୟରେ ନିଜକୁ ସାହସ ଦିଅ। ନିଜକୁ ନିଜେ କୁହ ‘ମୁଁ ଭଲକରି ଲେଖୁଛି। ଯାହା ପଢ଼ିଛି ସବୁ ମନେଅଛି। ମୁଁ ମୋର ସବୁଠାରୁ ଭଲ ଉତ୍ତର ପରୀକ୍ଷାରେ ଦେଉଛି।’ ପରୀକ୍ଷା ହଲ୍‌ରେ ପୂରା ସମୟ ବସ। ସମୟ ବଳିଲେ ଆଉ ଥରେ ପଢ଼। ଆମେ ଅଜାଣତରେ ଭୁଲ୍‌ ଲେଖିଥାଇପାରୁ। ସେଗୁଡ଼ିକ ସଜାଡ଼ି ଠିକ୍‌ କରିପାରିବ। ଗୋଟିଏ ବିଷୟରେ ପରୀକ୍ଷା ସାରିବା ପରେ, ସେହି ପରୀକ୍ଷା ଉପରେ ଅଧିକ ଆଲୋଚନା କର ନାହିଁ। ମନ ଛାନିଆ ଲାଗିପାରେ। ପରବର୍ତ୍ତୀ ବିଷୟର ପରୀକ୍ଷା ପାଇଁ ଚିନ୍ତା କର।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ୍‌, କଟକ
ମୋ : ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri