ଅନୁଗୋଳ ଅଫିସ, ୬।୧: ଜାନୁୟାରୀ ୨୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି ଅନୁଗୋଳର ଛାତ୍ର ସାଇଦତ୍ତ ବିଗ୍ନେଶ। ଓଡ଼ିଶାରୁ ମନୋନୀତ ହୋଇଥିବା ୨୮ଜଣଙ୍କ ଭିତରେ ସ୍ଥାନ ପକ୍କା କରି ସେ ଜିଲା ପାଇଁ ଆଣିଛନ୍ତି ଗୌରବ। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଚିଠି ଆସି ପହଞ୍ଚତ୍ଛି। ଏହାପରେ ସାଇଦତ୍ତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ବିଜ୍ଞାନ ଶ୍ରେଣୀର ଛାତ୍ର ହେଉଛନ୍ତି ସାଇଦତ୍ତ। ବୋର୍ଡ ପରୀକ୍ଷାରେ କିଭଳି ଭଲ ମାର୍କ ରଖିହେବ ସେ ସମ୍ପର୍କରେ ସାଇଦତ୍ତ ପ୍ରଶ୍ନ କରିଥିଲେ। ଓଡ଼ିଶାରୁ ଚୟନ ହୋଇଥିବା ୨୮ଜଣଙ୍କ ଭିତରେ ତାଙ୍କ ପ୍ରଶ୍ନ ଏକ ନମ୍ବରରେ ରହିଛି। ଏହା ହିଁ ତାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ରାସ୍ତା କଢ଼ାଇଥିବା କୁହାଯାଉଛି। ଦିଲ୍ଲୀର ତାଲକୋଟ୍ରା ଷ୍ଟାଡ଼ିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୂଚନାଯୋଗ୍ୟ, ଡିସେମ୍ବର ୭ରୁ ୨୩ ତାରିଖ ଯାଏ ସାରା ଦେଶରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନ୍ଲାଇନ୍ରେ ପରୀକ୍ଷା ହୋଇଥିଲା। ଏଥିରେ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଆଶାୟୀମାନେ ନାମ ରେଜିଷ୍ଟ୍ରେଶନ କରିବା ସହ କମ୍ପ୍ୟୁଟରରେ ଅନ୍ଲାଇନ୍ ପରୀକ୍ଷା ଦେଇଥିଲେ। ଏଥିରେ ୫ଟି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। ରେଜିଷ୍ଟ୍ରେଶନ୍ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରଶ୍ନ ଲକି ଡ୍ର ମାଧ୍ୟମରେ ଉଠାଣ ହୋଇଥିଲା। ଏଥିରେ ସାଇଦତ୍ତ ଚୟନ ହୋଇଛନ୍ତି। ବିଦ୍ୟାଳୟରୁ ମୋଟ ୭୫ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସାଇଦତ୍ତଙ୍କ ବାପା ବିଜୟ କେତନ ନାଏକ ଜଣେ ଆଇନଜୀବୀ। ମା’ ମଧୁସ୍ମିତା ଜେନା ଏଲ୍ଆଇସି ଏଜେଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ପୁଅର ଏଭଳି ସଫଳତା ପରେ ଉଭୟ ଖୁସିଥିବା କହିଛନ୍ତି।