ପରେଡ୍‌ରେ ଅଣଛାତ୍ର ଟ୍ରଫି ହାତେଇବା ଘଟଣା: ତଦନ୍ତ ଆଦେଶ ଦେଲେ ଜିଲାପାଳ

ବାଲେଶ୍ୱର ଅଫିସ,୩୦।୧- ବାଲେଶ୍ୱରରେ ଜିଲାସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମ୍‌ରେ ପାଳିତ ହୋଇଥିବାବେଳେ ପରେଡ଼ରେ କେତେକ ଅଣଛାତ୍ର ଟ୍ରଫି ନେବା ଘଟଣା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଦୃଷ୍ଟିକୁ ଆସିବା ପରେ ଏହି ଘଟଣା ଉପରେ ଏକ ବିଭାଗୀୟ ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ପଦକ୍ଷେପ ନେବାକୁ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣତନ୍ତ୍ର ଦିବସ ଏକ ଜାତୀୟ କାର୍ଯ୍ୟକ୍ରମ ଏବଂ ଏହାକୁ ଅତି ପବିତ୍ରତା ଓ ସତର୍କତାର ସହ ପାଳନ କରାଯାଇଥାଏ। ତେଣୁ ଏ ଧରଣର କାର୍ଯ୍ୟ ଏକ ଶିକ୍ଷାନୁଷ୍ଠାନ ପକ୍ଷେ ଅଶୋଭନୀୟ ଏବଂ ଏହା ସମାରୋହର ଗାରିମାକୁ କ୍ଷୂର୍ଣ୍ଣ କରିଥିବା ଦୃଷ୍ଟିରୁ ତୁରନ୍ତ ତଦନ୍ତ କରି ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ବୁଧବାର ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି।