ଯୋଡ଼ା,୨୧।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତର ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଗୁରୁବେଡା ପିକ୍ନିକ୍ ସ୍ପଟ। ଜଙ୍ଗଲ ଓ ପାହାଡଘେରା ପରିବେଷ୍ଟିତ ଏହି ପିକ୍ନିକ୍ ସ୍ପଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଅନେକକଙ୍କୁ ଆକର୍ଷିତ କରିଥାଏ। ପ୍ରତ୍ୟେକ ବର୍ଷ ଅନେକ ସମୟରେ ପ୍ରକୃତିପ୍ରେମୀ ତଥା ପର୍ଯ୍ୟଟକମାନେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ମନୋରମ ପରିବେଶର ମଜା ନେବା ପାଇଁ ଆସୁଥିଲେ ହେଁ, ଶୀତ ଦିନରେ ମୁଖ୍ୟତଃ ପିକ୍ନିକ୍ କରିବାକୁ ପର୍ଯ୍ୟଟକଙ୍କର ସୁଅ ଛୁଟିଥାଏ। ଯୋଡ଼ା ସହରଠାରୁ ପ୍ରାୟ ୬ କି.ମି. ଦୂରରେ ଥିବା ଏହି ପିକିନିକ୍ ସ୍ପଟରେ ରହିଛି ବୈତରଣୀ ନଦୀର ଜଳ ପ୍ରବାହ। ଗୁରୁବେଡା ଜଙ୍ଗଲ ମଧ୍ୟରେ ପଥର ବେଷ୍ଟିତ ବୈତରଣୀ ନଦୀର କୁଳୁକୁଳୁଶଦ୍ଦ ଭରା ନୀଳ ସବୁଜ ଜଳପ୍ରବାହର ଦୃଶ୍ୟ ପର୍ଯ୍ୟଟକଙ୍କୁ ବେଶ୍ ବିମୋହିତ କରିଥାଏ। ବଣଭୋଜି ପାଇଁ ଏହି ପିକ୍ନିକ୍ ସ୍ପଟ୍ଟି ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଏଠାକୁ ପ୍ରତିବର୍ଷ ନଭେମ୍ବର ମାସରୁ ଜାନୁୟାରୀ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଥାଏ। ଏଠାକୁ ଟ୍ରେନ ଯୋଗେ ଆସିଲେ ବାଂଶପାଣି ରେଳ ଷ୍ଟେଶନରେ ଓହ୍ଲାଇ ଅଟୋ ଯୋଗେ ରାଜ୍ୟ ରାଜପଥ ନଂ ୨ ତଥା ଯୋଡା-ବାମେବାରୀ ରାସ୍ତାରେ ୩କି.ମି. ଯିବା ପରେ ଗୁରୁବେଡା ଛକଠାରୁ ବାମପାର୍ଶ୍ୱକୁ ଯାଇ ପ୍ରାୟ ୨ କ.ମି ଅତିକ୍ରମ କରିବା ପରେ ଏହି ପିକ୍ନିକ୍ ସ୍ପଟରେ ପହଞ୍ଚି ହୁଏ। ସେହିପରି ବସ୍ ଯୋଗେ ଆସିବାକୁ ହେଲେ ଯୋଡାସହରର ବସ୍ଷ୍ଟାଣ୍ଡରେ ଓହ୍ଲାଇ ସେଠାରୁ ଅଟୋ କରି ୪ କି.ମି. ରାଜ୍ୟ ରାଜପଥ ନଂ ୨ ତଥା ଯୋଡା-ବାମେବାରୀ ରାସ୍ତାରେ ଯିବା ପରେ ଗୁରୁବେଡା ଛକଠାରୁ ବାମପାର୍ଶ୍ୱକୁ ଯାଇ ପ୍ରାୟ ୨କ.ମି ଅତିକ୍ରମ କରିବା ପରେ ଏହି ସ୍ଥାନରେ ପହଞ୍ଚି ହେବ।