Categories: ଫୁରସତ

ପର୍ଯ୍ୟଟନ ଚିନ୍ତା

ଦିନେ ନୁହେଁ କିମାସେ ନୁହେଁ,ବର୍ଷବର୍ଷ ଧରି ଏମାନେ ଜାରିରଖିଛନ୍ତି ତାଙ୍କ ସାଧନା। କିଏ ପାହାଡ଼ କାଟି ତ କିଏ ମନ୍ଦିର ନିର୍ମାଣ କରି ପୁଣି ଆଉ କିଏ ଲୋକଙ୍କ ପାଇଁ କରିଛନ୍ତି ପର୍ଯ୍ୟଟନସ୍ଥଳୀ…
ସମାଜରେ ବିଭିନ୍ନ ବ୍ୟକ୍ତିଙ୍କ ରୁଚି ଥାଏ ଭିନ୍ନଭିନ୍ନ । ସେମାନଙ୍କ ପାରିଦର୍ଶିତାକୁ ନେଇ ବେଳେବେଳେ ଖୁବ୍‌ ଚର୍ଚ୍ଚା ବି ହୁଏ। ଏମିତି କି ଦିନେ କି ଦୁଇ ଦିନ ନୁହେଁ ବରଂ ବର୍ଷବର୍ଷଧରି ଜାରି ରଖିଥାନ୍ତି ସାଧନା । ଏଥିତ୍ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଥକିନପଡ଼ି ସର୍ବଦା ସଫଳତା ପାଇଁ ପ୍ରୟାସ ଜାରି ରଖିଥାନ୍ତି । ଯାହା ସମୟକ୍ରମେ ପାଲଟିଯାଏ ଇତିହାସ ।
ହେଉ କି ପରିବେଶସୁରକ୍ଷା, କଳାସଂସ୍କୃତି କିମ୍ବା ବିଜ୍ଞାନର ଗବେଷଣା, ଅଥବା ଆଧାତ୍ମିକ କ୍ଷେତ୍ର। ନୂତନ କିମ୍ବା ଲୁକାୟିତ ସଂସ୍କୃତିର ବିକାଶ ପାଇଁ କିଏ ପାହାଡ଼କାଟି ଗଢିଛନ୍ତି ମନ୍ଦିର ତ ପୁଣି କିଏ ପ୍ରାକୃତିକ ପରିବେଶର ସୁରକ୍ଷାକରି ସୃଷ୍ଟି କରିଛନ୍ତି ପର୍ଯ୍ୟଟନ ବିଭବ। ତେବେ ଏମିତି ସ୍ଥାନକୁ ବୁଲି ଆସୁଥିବା ପଯର୍‌ୟଟକଙ୍କ ମନରେ ବେଳେବେଳେ ନିଆରା ପ୍ରଶ୍ନଉଠେ। ଏପରି କୀର୍ତ୍ତି ସ୍ଥାପନାର ପ୍ରତିଷ୍ଠାତା କିଏ ଇତ୍ୟାଦି। ସେମିତି କେତେଜଣ ବ୍ୟକ୍ତି ଓ ଗ୍ରାମବାସୀଙ୍କ ସମ୍ପର୍କରେ।
ଦେବରାଜଙ୍କ ଦେବକୀର୍ତ୍ତି: ଶିକ୍ଷାଦାନକୁ ସେ ନିଜରବୃତ୍ତି ଭାବେ ଗ୍ରହଣ କରିଥିଲେ। ନିଶାଥିଲା ପୁରୁଣା ଐତିହ୍ୟସ୍ମୃତିକୁ ଉଧାର କରିବା। ଏଥିପାଇଁ ତାଙ୍କୁ ବର୍ଷବର୍ଷଧରି ସମୟଦେବାକୁ ପଡ଼ିଛି। ମାତ୍ର ସାରାଜୀବନ ଅବିବାହିତ ରହି ଆଗେଇ ଚାଲିଛନ୍ତି ଆଗକୁ ଆଗ । ଥକି ବି ପଡ଼ିନି ପାଦ। ଗଢିତୋଳିଛନ୍ତି ଏକ ଆଧ୍ୟାତ୍ମିକ କ୍ଷେତ୍ର। ଏମିତିରେ ସେ ପହଁଞ୍ଚି ସାରିଲେଣି ବୟସର ଅପରାହ୍ନରେ । ସେ ହେଲେ ଦେବରାଜ ଜେନା। ବୟସ ୭୧ବର୍ଷ। ପିତା ଲୋକନାଥ ଜେନା। ମା’ ଫୁଲ ଦେଈ। ଘର ନୟାଗଡ଼ ଜିଲା ଭାପୁର ବ୍ଲକର ଧାନଚାଙ୍ଗଡ଼ା ଗ୍ରାମରେ। ସେ କୁହନ୍ତି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ କଣ୍ଟିଲୋର ଶ୍ରୀନୀଳମାଧବଙ୍କ ପବିତ୍ର ପୀଠର ମାହାତ୍ମ୍ୟ ସ୍ବତନ୍ତ୍ର। ମାତ୍ର ମହାପ୍ରଭୁଙ୍କ ଆଦ୍ୟସେବକ ଭକ୍ତ ଶବରରାଜା ବିଶ୍ୱାବସୁଙ୍କ ଗଡ଼ କୁହାଯାଉଥିବା ଧାଙ୍ଗଡ଼ି ପାହାଡ଼ରେ ରହିଛି ମହାପ୍ରଭୁଙ୍କ ସ୍ମୃତିର ସ୍ମାରକ। ପୂର୍ବେ ବେତଖୋଲରେ ଶ୍ରୀନୀଳମାଧବଙ୍କ ଦର୍ଶନ ପାଇଁ ବିଶ୍ୱାବସୁ ଯାଉଥିଲେ ବୋଲି ଲୋକକଥା ରହିଛି। ସମୟକ୍ରମେ ଏହି ଅଞ୍ଚଳର ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ଲୋକକଥାରୁ ଶୁଣାଯାଏ ଶବରରାଜା ବିଶ୍ୱାବସୁଙ୍କ ଧାନଚାଙ୍ଗଡ଼ାଗଡ଼ରେ ଧାଙ୍ଗଡ଼ିପାହାଡ଼ ହୋଇଥିବା ବିଶ୍ୱାସ କରାଯାଏ। ଶବରମାନେ ଅବିବାହିତ ଝିଅଙ୍କୁ ଧାଙ୍ଗେଡ଼ି ବୋଲି କୁହନ୍ତି। ଶବରଜାତିର କୌଣସି କନ୍ୟା ସାଥୀଗ୍ରହଣ କରିବାପରେ ଯଦି କୌଣସି ପରିସ୍ଥିତିରେ ତା’ର ସ୍ବାମୀ ସେହି ବିବାହିତ ଝିଅଙ୍କୁ ଛାଡ଼ିଦେଇ ଚାଲିଯାଏ। ତାହେଲେ ସେହିଝିଅର ବାପଘର ଲୋକେ ତାକୁ ଆଉ ସ୍ବଘରକୁ ନନେଇ ଏକ ସୁରକ୍ଷିତ ନୂଆସ୍ଥାନରେ ଛାଡ଼ିଦେଇ ଆସନ୍ତି। ସେଥିପାଇଁ ବୋଧେ ଲଳିତାଙ୍କ ଉଦ୍ଦେଶ୍ୟରେ ଏହି ଅଞ୍ଚଳର ଏକ ସ୍ଥାନ ଯାହାକି ଛାଡ଼ରା ତଇଲା ଭାବେ ଜନଶ୍ରୁତି ରହିଛି। ଅତୀତରେ ଏହି ପାହାଡ଼ ନିକଟରେ ସାତଟି ପୋଖରି ରହିଥିବାର ସ୍ଥାନୀୟ ଗ୍ରାମବାସୀ ଙ୍କଠାରୁ ଜଣାପଡ଼ୁଥିବାବେଳେ ଏବେ ଏହା ପ୍ରାୟ ଅବଲୁପ୍ତ। ୧୯୭୨ ମସିହାରେ ଧାଙ୍ଗଡ଼ି ପାହାଡ଼ ଖନନ ବେଳେ ମାଟିତଳୁ ଉଧାର ହୋଇଥିବା ମାଧବଙ୍କ ମୂର୍ତ୍ତି, ବିଭିନ୍ନ ପୁରାତନ ସାମଗ୍ରୀ ଓ କିଛି ଅସ୍ତ୍ର ମିଳିଥିଲା। ୧୯୭୪ମସିହାରେ ଦେଉଳି ପଦରଗାଁ ଠାରେ ଏକ ନୂତନ ଘରର ନିଅଁ ଖୋଳାବେଳେ ମାଟିତଳୁ କିଛି ପୁରୁଣା ସାମଗ୍ରୀ ମଧ୍ୟ ଉଧାର କରାଯାଇଥିଲା ସେହିପରି ୨୦୦୩ ମସିହାରେ କଣ୍ଟିଲୋ ନିକଟସ୍ଥ ଧାନଚାଙ୍ଗଡ଼ା ଗ୍ରାମରୁ ସାତଟି ତାମ୍ରଫଳକ ମିଳିଥିଲା। ଯେଉଁଥିରେ ଏକ୍‌ ବୃଷଭର ଚିହ୍ନ ଥିଲା ।
ଏହା ନବମ ଶତାଦ୍ଦୀର ଏକ ଦାନପତ୍ର ବୋଲି ଜଣାପଡ଼େ ।
ଏଥିରେ ଶାନ୍ତିକର ଦେବସ୍ୟ ବୋଲି ଲେଖାଥିଲା । ମୁଁ ଯେତେବେଳେ ଶିକ୍ଷକତା କରୁଥିଲି ଥରେ ମତେ ସ୍ବପ୍ନାଦେଶ ହେଲା ବିଷ୍ଣୁଙ୍କ ମନ୍ଦିର ସମ୍ପର୍କରେ। ତା’ ପରେ ଏହି ସ୍ଥାନରେ ଗୋଟିଏ ବିଷ୍ଣୁମନ୍ଦିର ନିର୍ମାଣର ପ୍ରୟାସ କରିଥିଲି । ୧୯୯୬ରୁ ଏହି ପୀଠର କାମ ଆରମ୍ଭ କରିଥିଲୁ। ଏଥିପାଇଁ ପ୍ରାୟ ୯ବର୍ଷ ସମୟ ଲାଗିଛି। ଗ୍ରାମବାସୀ ସହଯୋଗ କରିଛନ୍ତି। ଲଳିତମାଧବଙ୍କ ମନ୍ଦିରର ପାର୍ଶ୍ୱଦେବତା ଭାବେ ନୃସିଂହ, ବରାହ, ବାମନ, ସମ୍ମୁଖରେ ଯଜ୍ଞମଣ୍ଡପ, ଯାତ୍ରୀ ବିଶ୍ରାମାଗାର, ଧାଙ୍ଗଡ଼ି ଦେବୀଙ୍କ ମନ୍ଦିର ରହିଛି। ବିଶ୍ୱାବସୁ ଟାଓ୍ବାର ଉପରୁ ଏହି ଅଞ୍ଚଳର ପ୍ରାକୃତିକ ଶୋଭାକୁ ଦେଖିବାରେ ନିଆରା ଅନୁଭବ କରିପାରିବେ। ଜଙ୍ଗଲ ,ନଦୀ ଓ ପାହାଡ଼ ଘେରାରେ ଏହି ପୀଠଟି ଅବସ୍ଥିତ । ମାତ୍ର ଧାଙ୍ଗଡ଼ି ପାହାଡ଼ଟି ଦକ୍ଷିଣ ମୁହଁା ହୋଇରହିଛି। ଏହି ପୀଠରେ ପାରମ୍ପରିକ ରୀତି ନୀତିରେ ପୂଜାକାର୍ଯ୍ୟ ସକାଳୁ ରାତି ଯାଏ ହୋଇଥାଏ। ଧନୁସଂକ୍ରାନ୍ତି ଏଠାର ମୁଖ୍ୟପର୍ବ ଭାବେ ପାଳନ ହୋଇଥାଏ। ଅନ୍ୟପକ୍ଷେ ଧାଙ୍ଗଡ଼ି ପାହାଡ଼ର ପୂର୍ବରେ ଧାନଚାଙ୍ଗଡ଼ି ଗାଁ,ପଶ୍ଚମରେ କୁସୁମୀ ନଦୀ, ଉତ୍ତରରେ ଶ୍ରୀନୀଳମାଧବଙ୍କ ପୀଠ, ଓ ମହାନଦୀର ବାଲୁକାବନ୍ଧ। ଦକ୍ଷିଣରେ କାଳିଆପଲ୍ଲୀ ଗାଁ, ପାହାଡ଼ର ପାଦଦେଶରେ ଏକ ତୋରଣ ନିର୍ମାଣ ହୋଇଛି। ରାଜ୍ୟ ଓ ଜିଲା ପଯର୍‌ୟଟନ ବିଭାଗକୁ ପର୍ଯ୍ୟଟନ କ୍ଷେତ୍ର ପାଇଁ ଚିଠି ହୋଇଛି । କେବଳ କାଗଜ କଲମରେ ଅଟକି ରହିଛି। ଏସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।
କାଳିଆକୃପାରୁ ଘାରିଲା ଲୀଳାକ୍ଷେତ୍ରର ପ୍ରୀତି: ଗାଁରେ ଚାଲିଥାଏ ଯଜ୍ଞଉତ୍ସବ। ଆଧାତ୍ମିକ ପରିବେଶରେ ଭକ୍ତିଭାବ ଉପସ୍ଥିତ ଦର୍ଶନାର୍ଥୀ ଓ ଶ୍ରଦ୍ଧାଳୁଙ୍କ ମନରେ ଜାଗ୍ରତ ହୋଇଥିଲା, ଲୀଲାକ୍ଷେତ୍ରର ପ୍ରୀତି । ମହାପ୍ରଭୁ ତ ଅତୀତରେ ଏହି ଗାଁକୁ ଆସିଥିଲେ ଏକଥାଟି ସମସ୍ତଙ୍କ ମନରେ ଆନ୍ଦୋଳିତ କଲା। ତାପରେ କେତେଜଣ ଯୁବକ ଗାଁର ଐତିହ୍ୟକୁ ପୁନରୁଧାର ପାଇଁ ଚିନ୍ତା କରିଥିଲେ ।
ତେବେ ଏହାର ଆବାହକ ଭାବେ ଜଣେ ଯୁବକ ପଡ଼ିଗଲେ କାଳିଆ ପ୍ରେମରେ । ସତେ ଯେମିତି କାଳିଆ ତାଙ୍କୁ ହାତଠାରି ନିର୍ଦ୍ଦେଶ ଦେଉଥିଲା। ହେଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଲୀଳାବଡ଼ ବିଚିତ୍ର। ଚିଲିକାରେଥିବା ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଇତିହାସ ପାଲଟିଛି। ଚିଲିକାର କାଙ୍କଣକୁଦରେ ମହାପ୍ରଭୁଙ୍କ ଅବସ୍ଥାନବେଳେ ସେବକମାନେ ନିକଟସ୍ଥ ଯମୁନା ନିର୍ଝରରୁ ମଧୁର ଜଳ ସଂଗ୍ରହ କରି ମହାପ୍ରଭୁଙ୍କ ସେବାରେ ଉପଯୋଗ କରୁଥିଲେ। ଅନ୍ୟପକ୍ଷେ କାଙ୍କଣକୁଦରେ ସେତେବେଳେ ପ୍ରଚୁର ପରିମାଣର କାଙ୍କଣ ହେଉଥିବାରୁ ମହାପ୍ରଭୁଙ୍କ ମଣୋହିରେ ଲାଗୁଥିଲା। କୈବର୍ତ୍ତମାନେ ଏଠାରୁ କାଙ୍କଣ ତୋଳି ଡଙ୍ଗାରେ ନେଇଥାନ୍ତି। ଚିଲିକା କାବ୍ୟରେ ଉଲ୍ଲେଖ ରହିଛି-: ତରଙ୍ଗବେଷ୍ଟିତ କାଙ୍କର ଶିଖରୀ , ଆଦ୍ୟଫଳେ ଯା’ର ତରୀ ପୂର୍ଣ୍ଣକରି । ବର୍ଷେ ବର୍ଷେ ହ୍ରଦ ବିହାରୀ ଧୀବରେ , ଆଦରେ ଫେରନ୍ତି ଲକ୍ଷ୍ମୀରୋଷଘରେ। ତେବେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପୁନରୁଧାର ଓ ବିକାଶ ନିମନ୍ତେ ଡକ୍ଟର ସୁଶାନ୍ତ ସାହୁ କୁହନ୍ତି ଆମେ ଶୁଣିଥିଲୁ ବହୁବର୍ଷ ପୂର୍ବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମଗାଁକୁ ଆସିଥିଲେ। ଏହି ସଂସ୍କୃତି ବିଷୟରେ ମନରେ ସ୍ବତଃପ୍ରବୃତ୍ତ ଭାବେ ଏକପ୍ରକାର ଭାବ ସୃଷ୍ଟିହେଲା । ୨୦୦୭ ମସିହାରେ ପୁରୀରୁ ଶ୍ରୀମନ୍ଦିର ପ୍ରଶାସନିକ ଏହି ପୀଠକୁ ଆସିଥିଲେ। ଏହାପରେ ୨୦୧୪ମସିହାରେ ଗାଁର କେତେଜଣ ଯୁବକ ଭୁବନେଶ୍ୱରରେ ଏକ ବୈଠକ କରିଥିଲୁ। ୨୦୧୫ ଫେବୃୟାରୀ ୯ରେ ଗାଁରେ ଚକାଦେବଙ୍କ ଉଦ୍ଦେଶ୍ୟରେ ଏକସିଂହାସନ ଉତ୍ସବ ଆୟୋଜନ କରିଥିଲୁ। ପରେ କାଙ୍କଣ ଶିଖରୀ ବିଷୟରେ ଶ୍ରୀମନ୍ଦିର ପ୍ରଶାସନିକଙ୍କଠାରୁ ଅଧିକ ତଥ୍ୟ ଜଣିପାରିଲୁ। ଏଠାରେ ଏକ ସ୍ମାରକୀ କରିଲୁ। ପୀଠକୁ ଯାତାୟାତ ପାଇଁ ୨ଟି ଡଙ୍ଗାର ବ୍ୟବସ୍ଥା କରିଥିଲୁ। ବିଦେଶରେ ରହୁଥିବା ଆମ ଗାଁର ଯୁବକମାନେ ଏଥିରେ ସହଯୋଗକଲେ। ନବକଳେବର ଅବସରରେ କାଙ୍କଣ ଶିଖରୀ ଠାରେ ବୃକ୍ଷ ରୋପଣ କରାଯାଇଥିଲା। ଏହି କୁଦର ମାଟିତଳୁ ମହାପ୍ରଭୁଙ୍କ ଚନ୍ଦନ ଘୋରା ପଥର ଉଦ୍ଧାର ହୋଇଥିଲା। ଗ୍ରାମବାସୀଙ୍କ ଉଦ୍ୟମରେ କାଙ୍କଣକୁଦଠାରେ ଏକ ଛାତଘର ନିର୍ମାଣ ହୋଇଛି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ନବକଳେବର ଦେବଦୁଲର୍ଭ ନନ୍ଦିଘୋଷ ରଥର ଚକକୁ ୨୦୧୬ ମାର୍ଚ୍ଚ ୬ରେ ଏଠାକୁ ଅଣାଯାଇ ପୂଜାର୍ଚ୍ଚନା କରାଯାଉଛି। ଏଠାରେ ପ୍ରତିଦିନ ମଣୋହି ଲାଗି ହୁଏ। ଏଥିପାଇଁ ଜଣେ ପୂଜକ ନିଯୁକ୍ତ ଅଛନ୍ତି। ଏକ କୂଅ ଖନନ ହୋଇଛି। ଦର୍ଶନାର୍ଥୀଙ୍କ ପାଇଁ ଏହି କୁଦର କୂଳରେ ପ୍ରାରମ୍ଭିକ ଭାବେ ପ୍ରାୟ୨୫ଟି ସିମେଣ୍ଟ ଚୌକି ହୋଇଥିଲା। କେତୋଟି ସୋଲାର ଖୁଣ୍ଟ ବି ରହିଛି। ଏହି କ୍ଷେତ୍ରରେ ମୁଖଶାଳା ବି ରହିଛି। ୨୦୧୮ରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏକ କମ୍ୟୁନିଟ ହଲ ହୋଇଛି। ତା’ପରେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ରହିଲା। ଦୁଇଜଣ ଭକ୍ତ ଏକ ଯଜ୍ଞ ମଣ୍ଡପ କରିଛନ୍ତି । ଏମିତିରେ ମହାପ୍ରଭୁଙ୍କ କୃପାରେ ସବୁ ଚାଲିଛି । ଶ୍ରୀଜଗନ୍ନାଥଙ୍କ ମହୋତ୍ସବରେ ଏହି ଗାଁକୁ ଗଜପତି ମହାରାଜାଙ୍କ ଆଗମନ ଏକ ଐତିହାସିକ ସ୍ମୃତି ବହନକରେ ।
ପ୍ରତିଦିନ ସକାଳ ୮ଟାରୁ ଦିନ ୫ଟା ପଯର୍‌ୟନ୍ତ ଦର୍ଶନାର୍ଥୀମାନେ ଡଙ୍ଗାରେ ଯାତାୟାତ କରିଥାନ୍ତି। ଏହି ପୀଠକୁ ଧାର୍ମିକ ପଯର୍‌ୟଟନ କ୍ଷେତ୍ର ପାଇଁ ଆବଶ୍ୟକ ଭିତ୍ତିଭୂମି ରହିଛି। ପଯର୍‌ୟଟନ ମାନ୍ୟତା ପାଇଁ ସର୍ବ ପ୍ରଥମେ କଳିଙ୍ଗ କନ୍ୟା ପାଇକ ଆଖଡ଼ା ଦଳର ବାଳିକାମାନେ ସରକାରୀ ସ୍ତରରେ ଦୃଷ୍ଟି ଆକର୍ଷଣ କରିଛନ୍ତି।
ମନେ ପକାଇଲେ ଗଗନବିହାରୀ: ସଫଳ କଲେ ଗିରିଧାରୀ: କେଉଁଠି ମଣ୍ଡପ ତ କେଉଁଠି ମନ୍ଦିର, ଆଉ କେଉଁଠି ଭକ୍ତଙ୍କ ଲାଗି ପ୍ରସାଦସେବନର ବ୍ୟବସ୍ଥା, ଏପରିକି କେହ ଇସହାୟ କିମ୍ବା ରୋଗୀଙ୍କୁ ଦେଖିତ୍ଲେ ସେ ସାହାଯ୍ୟର ହାତ ବଢ଼ାଇଥାନ୍ତି । ଏମିତିରେ ଭଗବଦ୍‌ ପ୍ରେମ ହିଁ ସୃଷ୍ଟି ହୋଇଥିଲା ତାଙ୍କ ମନରେ । ଏଥିପାଇଁ ସେ ଚିଲିକାର ପ୍ରାକୃତିକ ପରିବେଶରେ ଗଢି ତୋଳିଛନ୍ତି ଏକ ସୁନ୍ଦର ମନ୍ଦିର। ସେ ହେଲେ ଗଗନ ବିହାରୀ ଶତୃଶଲ୍ୟ, ବୟସ ୭୦। ପିତା କେଳୁଚରଣ ଶତୃଶଲ୍ୟ। ମା ମନ୍ଦଦେଈ। ଗଗନ କୁହନ୍ତି ମତେ ଦେଢ଼ବର୍ଷ ହୋଇଥିଲା ବାପା ମରିଗଲେ, ଆମେ ୩ ଭାଇ ଭଉଣୀ ଥିଲୁ। ପରେ ମୁଁ ମା’ଙ୍କ ପାଖରେ ରହୁଥିଲି। ରୋଜଗାର ଉଦ୍ଦେଶ୍ୟରେ ରାଉରକେଲା ପଳାଇଥିଲି ସେଠାରେ ଶ୍ରମିକଭାବେ କାମକଲି। ଧୀରେ ଧୀରେ କଣ୍ଟ୍ରାକ୍ଟର ବି ହୋଇଗଲି। ପ୍ରଥମେ ୧୯୭୫ରେ କାମଟିଏ ମିଳିଥିଲା । ତା ପରେ ଆଉ ପଛକୁ ଚାହିଁନି। କେନ୍ଦୁଝର, ଦିଲ୍ଲୀ, କୋଲକାତା ଆଦି ସ୍ଥାନରେ କାମ କରିବାର ସହଯୋଗ ପାଇଥିଲି। ଗାଁରେ ଭାଗବତ ସପ୍ତାଙ୍ଗ ହେଉଥାଏ, ଗଗନବିହାରୀ ବରାଳ ନାମକ ଜଣେ ବ୍ୟକ୍ତି କହିଲେ ଏଠାରେ ଗୋଟିଏ ମନ୍ଦିର ହେଲେ ଆମେ ନାମ କୀର୍ତ୍ତନ କରିପାରନ୍ତୁ । ସମୟକ୍ରମେ ମତେ ସେ କଥାଟି ଘାରିଲା, ଗ୍ରାମର ସମସ୍ତଙ୍କ ସହଯୋଗ ପାଇଁ ଉଦ୍ୟମ କଲି ମାତ୍ର ଦୃଢ଼ ମନୋବଳ ନେଇ ଏଠାରେ ଏକ ପାହାଡ଼ ରାସ୍ତାକୁ ଓସାର କରି ଏକ ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ କରାଗଲା। ୨୦୧୧ ମସିହାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆଜକୁ ପ୍ରାୟ ୮ବର୍ଷ ସମୟ ଲାଗିଥିଲା। ପ୍ରାୟ ୧କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ମନ୍ଦିର ବୁଝାମଣା ପାଇଁ ଏକ କମିଟି ରହିଛି। ପୂଜାରୀ ଅଛନ୍ତି। ପ୍ରଭୁଙ୍କ ଆଶୀର୍ବାଦରୁ ସବୁ ଠିକ୍‌ ଚାଲିଛି। ଏହି ଗ୍ରାମର ଦିନବନ୍ଧୁ ସ୍ବାଇଁ କୁହନ୍ତି ସେ ଲୁକ୍କାୟିତ ଐତିହ୍ୟର ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାର ପଦକ୍ଷେପ ନେଇଛନ୍ତି। ଏହି ପୀଠକୁ ଆସିବାକୁ ହେଲେ ୧୬ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧାରୁ ବାଲୁଗାଁ ଅଭିମୁଖେ ଆସିଲେ ପଡ଼ିବ ଆଙ୍କୁଲା ଛକ। ଏଠାରୁ ପୂର୍ବକୁ ପ୍ରାୟ ୨କିମି ଦୂର ଡାଙ୍ଗୁଆ, କ୍ଷେତ୍ରପାଳ ଗାଁ, ରାସ୍ତାରେ ଯିବାରେ ପଡ଼ିବ ରାହାଣବେଲି ଗାଁ। ଏହି ଗାଁର ଚିଲିକା କୂଳରେ ପ୍ରତିଷ୍ଠା ହୋଇଛି ରାଧାକୃଷ୍ଣଙ୍କ ମନ୍ଦିର । ନିକଟରେ ଗିରିଗୋବର୍ଦ୍ଧନ ପାହାଡ଼। ନୀଳାମ୍ବୁ ଚିଲିକାର ଅପରୂପ ସୌନ୍ଦଯର୍‌ୟକୁ ଉପଭୋଗ କରିବାର ଏକ ନିଆରା ଅନୁଭୂତି ପାଇବେ। ଏହା ପଯର୍‌ୟଟନ କ୍ଷେତ୍ର ହୋଇପାରିଲେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ହୁଏତ ରୋଜଗାର ସୃଷ୍ଟି କରିପାରିବ।
ସ୍ବପ୍ନରେ ସଙ୍କେତ ମିଳିଲା :ଦେବୀଭକ୍ତଙ୍କ କାର୍ଯ୍ୟ ସତହେଲା : ଖୋର୍ଦ୍ଧା ଜିଲାର ବାଲୁଗାଁକୁ ଉତ୍ତରପଟୁ ପ୍ରବେଶ କରିିବା ମାତ୍ରେ ପ୍ରଥମେ ନଜର ପଡ଼ିବ ଦୁଇଟି ପାହାଡ଼ ଯାହା ଦ୍ୱାର ସଦୃଶ୍ୟ ରହିଛି। କୃଷ୍ଣ ମୋହନ ବଳବନ୍ତରାୟ କୁହନ୍ତି ବାଣପୁର ଇତିହାସରେ ଉଲେଖ ରହିଛି ମାମୁଁ -ଭଣଜା ପାହାଡ଼ର କିମ୍ବଦନ୍ତୀ ଓ ଐତିହ୍ୟରୁ ଜଣାପଡ଼େ ଏହା ପୁରାଣବର୍ଣ୍ଣିତ ବାଣାସୁରଙ୍କ ଗଡ଼ର ଏକ ସ୍ମାରକୀ ପୀଠ ।
ପୂର୍ବେ ଅଗାଧୁ ଦାସ ନାମକ ଜଣେ ସାଧୁ ଏହି ପାହାଡ଼ର ଶିଖରରେ ଥିବା ସୀତାମା’ଙ୍କ କୁଣ୍ଡଠାରେ ଠାକୁରାଣୀଙ୍କୁ ପୂଜା କରୁଥିଲେ।
ସମୟକ୍ରମେ ଏହି ପାହାଡ଼ରେ ସୁନ୍ଦର ମନ୍ଦିର ପ୍ରତିଷ୍ଠା ହୋଇଛି। ଭୂଷଣ୍ଡପୁର ଅଞ୍ଚଳ ସୁନ୍ଦରପୁର ଗ୍ରାମର ବାସୁଦେବ ସରକାର କୁହନ୍ତି ମୋ ମା’ ସାବିତ୍ରୀ ଦେବୀ ଥିଲେ ଜଣେ ଧାର୍ମିକ ମହିଳା । ସେ ମହିମା ତାରାଙ୍କୁ ଆରାଧନା କରୁଥିଲେ। ମାତ୍ର ତାଙ୍କୁ ସ୍ବପ୍ନାଦେଶ ହେବାରୁ ସେ ମହିମାତାରାଙ୍କ କୃପାରୁ ଐତିହାସିକ ମାମୁ-ଭଣଜା ପାହାଡ଼ରେ ୧୯୯୯ମସିହାରେ ନିଜସ୍ବ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ କେତୋଟି ପାହାଚ । ସମୟକ୍ରମେ ହନୁମାନଙ୍କ ମନ୍ଦିର, ନିଦ୍ରାବତୀ, ମଙ୍ଗଳା ଏବଂ ପାହାଡ଼ ଉପରକୁ ଯିବା ପାଇଁ ପ୍ରାୟ ୩୫୩ ପାହାଚ ତିଆରି କରିଛନ୍ତି। ସେହିପରି ଭାବେ ସୁନ୍ଦରଗଡ଼ ଜିଲାର ହେମଗିରିର ରାଜାସାହେବ ସୁନୀଲ ସିଂହଦେଓ ଓ ତାଙ୍କ ସାନଭାଇ ଅନିଲ ସିଂହଦେଓ କୁହନ୍ତି ମୋ ମା ତଥା ହେମଗିରିର ରାଜମାତା ଚନ୍ଦ୍ରମୁଖୀ ଦେବୀଙ୍କୁ ମା’ ଦୁର୍ଗାଙ୍କ ସ୍ବପ୍ନାଦେଶ ହୋଇଥିବାର ସେ କହିଥିଲେ। ଶକ୍ତିଙ୍କ କୃପାରେ ୨୦୦୬ରେ ମାମୁ-ଭଣଜା ପାହାଡ଼ରେ ମା ଆରମ୍ଭ କରିଥିଲେ ବିନ୍ଧ୍ୟଗିରି ବାସିନୀ ମା’ ଦୁର୍ଗାଙ୍କ ମନ୍ଦିର। ଏହା ୨୦୧୯ରେ ସରିଲା। ଏହି ମନ୍ଦିରର ପୂଜାର୍ଚ୍ଚନା ନୀତି ପାଇଁ ଜଣେ ପୂଜକ ଅଛନ୍ତି। ଏଠାରେ ରାମନବମୀ, ହନୁମାନ ଜୟନ୍ତୀ,ମକରପର୍ବ, ରଜ ଓ ଯଜ୍ଞଆଦି କାଯର୍‌ୟକ୍ରମ ହୋଇଥାଏ। ସକାଳେ ,ମଧ୍ୟାହ୍ନରେ ଓ ରାତିରେ ନିତି ଭୋଗ ପୂଜାର୍ଚ୍ଚନାର ବ୍ୟବସ୍ଥା ରହିଛି। ଅତିଥିଗୃହ , କଲ୍ୟାଣ ମଣ୍ଡପ, ପାହାଡ଼ର ଗୁମ୍ପା ମଧ୍ୟରେ ସୁନ୍ଦର କୋଠରି ରହିଛି। ଏହି ପାହାଡ଼ର ଶିଖରରୁ ଚିଲିକାର ସୁନ୍ଦର ରୂପ ବର୍ଣ୍ଣାଳୀକୁ ଦେଖି ଯେ କେହି ବି ବିମୋହିତ ହୋଇପାରିବେ। ତେବେ ପ୍ରତିଦିନ ଏଠାକୁ ବିଭିନ୍ନ ଅଞ୍ଚଳର ଶ୍ରଦ୍ଧାଳୁମାନେ ସମାଗମ ହୋଇଥାନ୍ତି। ବିଶେଷକରି ପ୍ରତି ସଂକ୍ରାନ୍ତିରେ ଏଠାରେ ଭକ୍ତଙ୍କ ଭିଡ଼ ଜମିଥାଏ। ତେବେ ଏଠାରେ ମନ୍ଦିର ପ୍ରତିଷ୍ଠା ପାଇଁ କେବଳ ଆଧାତ୍ମିକ ଚିନ୍ତନ ରହିଥିବା ସେ କହିଥିଲେ। ଅନ୍ୟପକ୍ଷେ ସମୟକ୍ରମେ ଏମିତି ଐତିହାସିକ ,ଧାର୍ମିକ ତଥା ପ୍ରାକୃତିକ ପରିବେଶରେ ଲୁକ୍କାୟିତ ରହିଥିବା ଅନେକ ସ୍ଥାନ ପଯର୍‌ୟଟନ ବିଭବର ପରିଚୟ ଦେଇଥାଏ। ଏହାର ବିକାଶରେ ସହାୟକ ହୋଇଥିବା ବ୍ୟକ୍ତିବିଶେଷ ସ୍ମରଣୀୟ ହୋଇ ରହିଥାନ୍ତି।
-ବନବିହାରୀ ବେହେରା

Share