ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ୍‌ ମୁକ୍ତ ପାଇଁ ପ୍ରୟାସ

ଖଣ୍ଡପଡା,୩୧ା୧୦(ସ୍ବ.ପ୍ର.): ଗୋକୁଳାନନ୍ଦ ଜୀଉ ପର୍ଯ୍ୟଟନ ପୀଠକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଧାମୂଳା ଗୋକୁଳାନନ୍ଦ ଜୀଉ ସ୍ପୋଟର୍‌ସ ଆସୋସିଏଶନ ପକ୍ଷରୁ ପ୍ରୟାସ ଜାରିରହିଛି । ଅସୋସିଏଶନର ସଦସ୍ୟମାନେ ସ୍ବଚ୍ଛଭାରତ କାର୍ଯ୍ୟକ୍ରମକୁ ଆପଣାଇ ପୀଠ ପରିସରରେ ସଫେଇ କାର୍ଯ୍ୟ କରୁଛନ୍ତି।
ପ୍ରକାଶ ଯେ, କଟକ ଓ ନୟାଗଡ ଜିଲା ସୀମାନ୍ତରେ ଅବସ୍ଥିତ ସିଧାମୂଳା ଗୋକୁଳାନନ୍ଦ ଜୀଉ ପୀଠରେ ବର୍ଷର ପ୍ରାୟ ସବୁ ସମୟରେ ପର୍ଯ୍ୟକମାନଙ୍କର ସମାଗମ ହୋଇଥାଏ। ମହାନଦୀ କୂଳରେ ଅବସ୍ଥିତ ଏହି ପୀଠରେ ଅଧିକାଂଶ ସମୟରେ ପର୍ଯ୍ୟଟକମାନେ ଭୋଜିଭାତ କରିବାକୁ ଆସିଥାନ୍ତି। ସେମାନେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟାଗରେ ବିଭିନ୍ନ ସାମଗ୍ରୀ ଆଣି ବ୍ୟବହାର ପରେ ପଲିଥିନ ଏଣେତେଣେ ପକାଇ ଦେଇଥାନ୍ତି। ଏହାଦ୍ୱାରା ପରିବେଶ ପ୍ରତି ବିପଦ ସୃଷ୍ଟି କରିଥାଏ। ଆସନ୍ତା ମଙ୍ଗଳବାର ପବିତ୍ର ଅଁଳା ନବମୀ ତିଥିରେ ପ୍ରତି ବର୍ଷ ପରି ହଜାର ହଜାର ଶ୍ରଦ୍ଧାଳୁ, ହବିଷିଆଳି ଓ ପର୍ଯ୍ୟଟକଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଥିପାଇଁ ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ସ୍ପୋଟର୍‌ସ ଆସୋସିଏଶନର ସଦସ୍ୟମାନେ ପୀଠ ପରିବେଶକୁ ସଫାସୁତୁରା କରିବା ସହ ଏହି ପୀଠକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର ଲଗାଇ ସଚେତନତା ସୃଷ୍ଟି କରୁଥିବା ପରିଲକ୍ଷିତ ହୋଇଛି। ପୀଠ ପରିସରରେ ପଡିଥିବା ସମସ୍ତ ପଲିଥିନ, ଜରି, ଖାଲି ପାଣି ପାଉଚ ସହ ବିଭିନ୍ନ ପ୍ଳାଷ୍ଟିକ ବ୍ୟାଗକୁ ସଫା କରି ନିଆଁରେ ପୋଡି ଦେଇଥିଲେ।

Share