ପର୍ଯ୍ୟଟନ ସ୍ଥଳର ବିକାଶ

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜିଲା। ଏଠାରେ ଅନେକ ଜଳପ୍ରପାତ ସହ ରହିଛି ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ପର୍ବତ। ଜିଲା ସଦର ପାରଳାଖେମୁଣ୍ଡିଠାରୁ ମାତ୍ର ୨୮କିମି ଦୂରରେ ରହିଛି ଗଣ୍ଡାହାତୀ ଜଳପ୍ରପାତ। ବର୍ଷତମାମ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଶୀତର ଆଗମନ ପରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଏ। ଜଳପ୍ରପାତ ଏବଂ ଏହା ଚତୁଃପାର୍ଶ୍ୱରେ ରହିଥିବା ଶାନ୍ତକାନ୍ତ ପରିବେଶକୁ ପର୍ଯ୍ୟଟକମାନେ ଉପଭୋଗ କରନ୍ତି। ନିକଟସ୍ଥ ଜଙ୍ଗଲରେ ବଣଭୋଜିର ମଜା ଉଠାଇଥାନ୍ତି। ଏହା ବ୍ୟତୀତ ଜିଲାର ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟ ଗୁଦ୍‌ଗୁଦା ଜଳପ୍ରପାତ, ଆର. ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ମାଙ୍କଡ଼ଡିଆଁ ଜଳପ୍ରପାତ, ମୋହନା ବ୍ଲକ୍‌ ଚନ୍ଦ୍ରଗିରି ନିକଟ ଖସଡ଼ା ଜଳପ୍ରପାତ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଭାବେ ପରିଚିତ। ପାହାଡ଼, ଝରଣା ଓ ସବୁଜ ବନାନୀ ମଧ୍ୟରେ ଏହି ପର୍ଯ୍ୟଟନ କ୍ଷେତ୍ର ରହିଛି। ପ୍ରକୃତି କୋଳରେ କିଛି ସମୟ କଟାଇବା ପାଇଁ ପ୍ରତିଦିନ ବହୁ ପର୍ଯ୍ୟଟକ ଆସିଥାନ୍ତି। ହେଲେ ଏ ପର୍ଯ୍ୟନ୍ତ ଗଣ୍ଡାହାତୀ ଜଳପ୍ରପାତ ବ୍ୟତୀତ ଅନ୍ୟ କୌଣସି ଜଳପ୍ରପାତ ପର୍ଯ୍ୟଟନସ୍ଥଳର ମାନ୍ୟତା ପାଇପାରିନାହିଁ। ଗଣ୍ଡାହାତୀ ଜଳପ୍ରପାତରୁ ଆଦାୟ ରାଜସ୍ବ ଜିଲା ବିକାଶରେ ସହାୟକ ହୋଇପାରିଛି। ହେଲେ ଅନ୍ୟ ଜଳପ୍ରପାତଗୁଡ଼ିକ ପର୍ଯ୍ୟଟନ ମାନଚିତ୍ରରେ ଲୁକ୍‌କାୟିତ ଅବସ୍ଥାରେ ରହିଛି। ଗଣ୍ଡାହାତୀକୁ ବାଦ୍‌ ଦେଲେ ଅନ୍ୟ ପର୍ଯ୍ୟଟନସ୍ଥଳୀକୁ ଗମନାଗମନର ଠିକ୍‌ ବ୍ୟବସ୍ଥା ନାହିଁ। ଖାଲଖମା ରାସ୍ତା ପର୍ଯ୍ୟଟକମାନଙ୍କୁ ଅଧିକାଂଶ ସମୟରେ ଅଡୁଆରେ ପକାଉଛି। ପର୍ଯ୍ୟଟନସ୍ଥଳ ଏବଂ ତା’ର ଆଖପାଖ ଅଞ୍ଚଳର ବିକାଶ ହୋଇପାରୁ ନ ଥିବାରୁ ଯେତିକି ପର୍ଯ୍ୟଟକ ପ୍ରତିବର୍ଷ ଆସିବା କଥା ସେହି ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହୋଇଛି। ଜିଲା ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଗମନାଗମନର ବ୍ୟବସ୍ଥା ସହ ସାମଗ୍ରିକ ବିକାଶ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷେ ପର୍ଯ୍ୟଟନସ୍ଥଳର ବିକାଶ ହେଲେ ଜିଲାର ଗୌରବ ବୃଦ୍ଧି ପାଇବା ସହ ରାଜସ୍ବ ବୃଦ୍ଧି ପାଇବ। ଫଳରେ ସେହି ଅଞ୍ଚଳରେ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିବ ଏବଂ ଗ୍ରାମୀଣ ବେକାର ଯୁବତୀ ଯୁବକମାନେ ସ୍ବାବଲମ୍ବୀ ହୋଇପାରିବେ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।