ପଲିଥିନ୍‌ ତଳେ ତିନି ଭାଇଭଉଣୀ

ସଜନାଗଡ଼, ୧୪।୧୨(ଡି.ଏନ.ଏ.)-ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଏହାର ସଫଳ ରୂପାୟନ ହୋଇପାରୁ ନ ଥିବା ନଜରକୁ ଆସିଛି। ଏହାର ଉଦାହରଣ ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ବେଡ଼ାସାହି ଗ୍ରାମର ୬ନଂ. ୱାର୍ଡ଼ରେ।
ଜାମୁଡ଼ିହା ଗ୍ରାମର ଗୋଚର ଜମିରେ ବହୁ ବର୍ଷ ଧରି ୬୯ଟି ପରିବାର ବାସ କରିଆସୁଥିଲେ। ଜଣେ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ୨୦୧୬ ଅଗଷ୍ଟ ୧୬ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ତହସିଲଦାର ନୋଟିସ୍‌ କରି ସମସ୍ତ ପରିବାରକୁ ୨୦୧୮ ଫେବୃୟାରୀରେ ଉଚ୍ଛେଦ କରିଥିଲେ। ସେହିଦିନଠାରୁ କେତେକ ପରିବାର ମୁକ୍ତ ଆକାଶ ତଳେ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ବିକଳ୍ପ କରି ଥଇଥାନ ହୋଇଯାଇଛନ୍ତି। ହେଲେ ମା’ବାପାଙ୍କ ମୃତ୍ୟୁ ପରେ ପଦ୍ମଲୋଚନ ଓ ତାଙ୍କର ଦୁଇ ଭଉଣୀ ଦେଢ଼ବର୍ଷରୁ ଉର୍ଦ୍ଧ୍ୱ ହେବ ଗଛମୂଳରେ ପଲିଥିନ୍‌ ଟାଣି ରହିଆସୁଛନ୍ତି। ପଦ୍ମଲୋଚନଙ୍କ ଜଣେ ଭଉଣୀ ଦିବ୍ୟାଙ୍ଗ। ସରକାରଙ୍କ ପକ୍ଷରୁ କେବଳ ପ୍ରତିଶ୍ରୁତି ମିଳୁଛି, ହେଲେ ଫଳ ଶୂନ। ଭାଗ୍ୟକୁ ଆଦରି ପଦ୍ମଲୋଚନ ଅନ୍ୟ ଘରେ କାମ କରି ଦୁଇଭଉଣୀଙ୍କୁ ଆହାର ଯୋଗାଇ ଚାଲିଛନ୍ତି। ଅର୍ଥ ଅଭାବରୁ ସାନଭଉଣୀ ୧୦ମ ଶ୍ରେଣୀରୁ ପାଠପଢାରେ ଡୋରି ବାନ୍ଧିଛନ୍ତି। ତାଙ୍କର ନିଜସ୍ବ ଜମି ନ ଥିବାରୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରୁନାହଁି। ସରକାରଙ୍କ ପକ୍ଷରୁ ମିଳୁଥିବା ୩୫କେଜି ଚାଉଳ ଓ କିରୋସିନି ହଁି ଏକମାତ୍ର ସାହାରା।
ଏ ସମ୍ପର୍କରେ ନୀଳଗିରି ବିଡ଼ିଓ ରାମଦାସ ଟୁଡୁଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ଏ ସମ୍ପର୍କରେ ଭିଏଲ୍‌ଡବ୍ଲ୍ୟୁଙ୍କଠାରୁ ଖବର ପାଇଛନ୍ତି। ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ହେବ ସେମାନେ ପଲିଥିନ ତଳେ ରହୁଛନ୍ତି। ଏ ବିଷୟରେ ତହସିଲଦାରଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।