ପଲିଥିନ୍‌ ବ୍ୟବହାର ପ୍ରତିବନ୍ଧକକୁ ମାନୁନାହାନ୍ତି ଲୋକେ, ସୌନ୍ଦର୍ଯ୍ୟ ହରାଉଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୨।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରର ସୌନ୍ଦର୍ଯ୍ୟ ଦିନକୁ ଦିନ ହରାଇବାକୁ ବସିଛି। ସରକାରଙ୍କ ପକ୍ଷରୁ ପଲିଥିନ୍‌ ବେଆଇନ ଘୋଷଣା ପରେ ବି ଲୋକେ ପ୍ରତିବନ୍ଧକକୁ ନ ମାନି ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଅଳିଆ ଆବର୍ଜନା ସହ ହୋଟେଲର ବଳକା ରନ୍ଧା ଖାଦ୍ୟକୁ ପଲିଥିନ୍‌ରେ ଆଣି ଦାରିଙ୍ଗବାଡ଼ିର ଭିୟୁ ପଏଣ୍ଟ ଆମ୍ବଘାଟିରେ ପକାଯାଉଛି। ଫଳରେ ଏବେ ପର୍ଯ୍ୟଟକ ଉକ୍ତ ରାସ୍ତାରେ ଯାତାୟାତ ବେଳେ ନାକ ଟେକୁଛନ୍ତି। ପୂତିଗନ୍ଧମୟ ପରିବେଶରେ ଚଳପ୍ରଚଳ କରିବା ଏକପ୍ରକାର ଅସମ୍ଭବ ହୋଇପଡୁଛି। ପୂର୍ବରୁ ଏଭଳି ଉକ୍ତ ଘାଟିରେ ଅଳିଆ ଆବର୍ଜନା ପକାଯାଉଥିଲା, ତାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଫେଇ କରାଯାଇଥିଲା। କିନ୍ତୁ ପୁଣି ସେଠାରେ କେହି ବଳକା ପଚାସଢ଼ା ଖାଦ୍ୟ ଫିଙ୍ଗୁଛନ୍ତି। ଦାରିଙ୍ଗବାଡ଼ିକୁ ଆସୁଥିବା ପର୍ଯ୍ୟଟକମାନେ ଏଭଳି ଦୃଶ୍ୟ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ତହସିଲଦାର ନୀତିଶ ତ୍ରିପାଠୀ କହିଛନ୍ତି ଯେ, ପୁଣି ସମସ୍ତ ହୋଟେଲ ସଂଘ ସମେତ ବଣିକ ସଂଘ ଏବଂ ଛୋଟବଡ଼ ଜଳଖିଆ ହୋଟେଲ ବ୍ୟବସାୟୀଙ୍କୁ ଡାକି ସଚେତନ କରାଯିବ। ସେହିପରି ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇଙ୍କ ସହ ଯୋଗାଯୋଗ କରାଯିବାରୁ ତୁରନ୍ତ ସଫେଇ କରାଯିବ। ସେଠାରେ ଅଳିଆ ଆବର୍ଜନା ପକାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି।

Share