Advertisement
Categories: ଗଞ୍ଜାମ

ପଲିଥିନ ପ୍ଲାଷ୍ଟିକ୍‌ ଚଢ଼ାଉ: ଦିନକରେ ୫୫ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୦ା୧୦-ପଲିଥିନ୍‌, ପ୍ଲାଷ୍ଟିକ୍‌ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଆକ୍ଟୋବର ୨ରୁ ପ୍ଲାଷ୍ଟିକ, ପଲିଥିନ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ ବିଏମ୍‌ସି ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ଏନେଇ ବିଏମ୍‌ସି ପକ୍ଷରୁ ଗଠିତ ୮ ଜଣିଆ ଏନ୍‌ଫୋର୍ସମେଣ୍ଟ ଟିମ୍‌ ବୁଧବାର ବିଭିନ୍ନ ଦୋକାନରେ ଚଢାଉ କରିଛନ୍ତି। ସିଟି ହସ୍‌ପିଟାଲ ରୋଡ, ଏମ୍‌କେସିଜି ମେଡିକାଲ ରୋଡ ପ୍ରଭୃତି ଅଞ୍ଚଳରେ ଥିବା ବିଭିନ୍ନ ଦୋକାନରେ ଚଢାଉ ବେଳେ ବିପୁଳ ପରିମାଣରେ ପଲିଥିନ, ପାଣିପାଉଚ ଜବତ କରାଯାଇଥିବା ବ୍ରହ୍ମପୁର ମହାନଗର ନିଗମ ଏନ୍‌ଫୋର୍ସମେଣ୍ଟ ଅଫିସର ତରୁଣ କାନ୍ତ ସୂଚନା ଦେଇଛନ୍ତି। ଦିନକ ମଧ୍ୟରେ ପ୍ରାୟ ଅଧକିଲୋ ଓଜନର ପଲିଥିନ ସହ ୫ କିଲୋ ପାଣିପାଉଚ ଜବତ କରାଯାଇଛି। ଜରିମାନା ବାବଦକୁ ପ୍ରାୟ ୫୫ ହଜାର ଟଙ୍କା ଆଦାୟ କରାଯାଇଥିବା ସୂଚନା ମିିଳିଛି।
ପ୍ଲାଷ୍ଟିକ, ପଲିଥିନ ସାମଗ୍ରୀକୁ ୨୦୧୮ ଅକ୍ଟୋବର ୨ରୁ ବନ୍ଦ କରାଯାଇଥିଲା। କିନ୍ତୁ ଏହାର ବର୍ଷେ ପରେ ମଧ୍ୟ ପଲିଥିନ, ପ୍ଲାଷ୍ଟିକ ସାମଗ୍ରୀ ଉପରେ ରୋକ ଲଗାଇବାରେ ପ୍ରଶାସନ ବିଫଳ ହୋଇଛି। ଚଳିତ ଗାନ୍ଧୀ ଜୟନ୍ତୀରୁ ମହାନଗରକୁ ପ୍ଲାଷ୍ଟିକମୁକ୍ତ କରିବାକୁ ବିଏମ୍‌ସି ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି। ପଲିଥିନ, ପ୍ଲାଷ୍ଟିକ, ପାଣିପାଉଚ ସାମଗ୍ରୀ ଗଚ୍ଛିତ ତଥା ବିକ୍ରି କରୁଥିବା ଦୋକାନୀଙ୍କଠାରୁ ଏଣିକି ମୋଟା ଅଙ୍କର ଜରିମାନା ଆଦାୟ କରାଯିବା ସହ ପଲିଥିନ, ପାଣିପାଉଚ, ପ୍ଲାଷ୍ଟିକ ସାମଗ୍ରୀ ଥିବା ଦୋକାନୀଙ୍କଠାରୁ ସର୍ବନିମ୍ନ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବ ବୋଲି ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଫିସର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel