Categories: ଜାତୀୟ

ପଲିମର୍‌ କମ୍ପାନୀକୁ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୯ା୫(ପି.ଟି.): ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଲ୍‌ଜି ପଲିମର୍ସ କମ୍ପାନୀରେ ବୁଧବାର ରାତିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୧୨ ଜଣଙ୍କ ଜୀବନ ଯିବା ଘଟଣାରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଉକ୍ତ କମ୍ପାନୀ ଉପରେ ୫୦ କୋଟି ଟଙ୍କାର ଅନ୍ତରୀଣ ଜରିମାନା ଧାର୍ଯ୍ୟ କରିଛନ୍ତି। ଉକ୍ତ କମ୍ପାନୀ ନିରାପତ୍ତା ନିୟମ ଓ ଅନ୍ୟାନ୍ୟ ବୈଧାନିକ ବ୍ୟବସ୍ଥା ପାଳନ କରିବାରେ ବିଫଳ ହୋଇଥିବା ଜଣାପଡୁଛି ବୋଲି ଏନ୍‌ଜିଟି ଅଧ୍ୟକ୍ଷ ଜଷ୍ଟିସ୍‌ ଆଦର୍ଶ କୁମାର ଗୋଏଲଙ୍କ ଖଣ୍ଡପୀଠ କହିଛନ୍ତି। ଗ୍ୟାସ୍‌ ଲିକ୍‌ ଘଟଣାର ତଦନ୍ତ ଲାଗି ସେ ଏକ ୫ ଜଣିଆ କମିଟି ଗଠନ କରିଛନ୍ତି। ୧୮ ତାରିଖ ପୂର୍ବରୁ କମିଟି ତଦନ୍ତ ଶେଷ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରାସାୟନିକ କାରଖାନାରେ ବୁଧବାର ବିଳମ୍ବିତ ରାତିରେ ଗ୍ୟାସ୍‌ ଲିକ୍‌ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହେବା ସହ ୧୦୦୦ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସିତ ହେଉଥିବା ଲୋକଙ୍କ ମଧ୍ୟରୁ ଶୁକ୍ରବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏନ୍‌ଜିଟି ପକ୍ଷରୁ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ, ଏଲ୍‌ଜି ପଲିମର୍ସ ଇଣ୍ଡିଆ, ଆନ୍ଧ୍ରପ୍ରଦେଶ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ବିଶାଖାପାଟଣା ଜିଲାପାଳଙ୍କୁ ନୋଟିସ ପଠାଯାଇ ୧୮ ତାରିଖ ପୂର୍ବରୁ ଜବାବ ରଖିବାକୁ କୁହାଯାଇଛି।

Share