ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ଲାଗିବ ରେଟ୍‌ ଚାର୍ଟ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ନୂଆ ମୋଟର ଯାନ ଆଇନ ଅନୁଯାୟୀ ଲୋକଙ୍କୁ କିଭଳି ସେମାନଙ୍କ ଗାଡ଼ି ପାଇଁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ସୁବିଧା ଯୋଗାଇ ଦିଆଯାଇପାରିବ ସେନେଇ ମଙ୍ଗଳବାର ପରିବହନ ବିଭାଗ ସଚିବ ଜି. ଶ୍ରୀନିବାସ ଏବଂ ପରିବହନ କମିଶନର ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ବୈଠକ ପରେ ଜି. ଶ୍ରୀନିବାସ କହିଛନ୍ତି ଯେ, ଅଧିକ ପଲ୍ୟୁଶନ ଟେଷ୍ଟିଂ ସେଣ୍ଟର ଖୋଲାଯିବ। ସେହିପରି ପଲ୍ୟୁଶନ ଟେଷ୍ଟିଂ ସେଣ୍ଟରରେ ରେଟ୍‌ ଚାର୍ଟ ଲଗାଯିବ। ଅନ୍ୟପକ୍ଷରେ ପରିବହନ କାର୍ଯ୍ୟାଳୟରେ ଅଧିକ କ୍ୟାମ୍ପ ଖୋଲାଯିବ। ବହୁସଂଖ୍ୟାରେ ଆବେଦନକୁ ଦୃଷ୍ଟିରେ ରଖି ଦୈନିକ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ ସଂଖ୍ୟା ବୃଦ୍ଧି କରାଯାଇଛି। ଯେଉଁମାନେ ଲାଇସେନ୍ସ କରାଇବା ଲାଗି ଦଲାଲି କରିବେ ସେମାନଙ୍କୁ ଦଣ୍ଡ ଦିଆଯିବ। ଏହାସହ ଆର୍‌ଟିଓ କାର୍ଯ୍ୟାଳୟରେ ଇନସ୍ୟୁରାନ୍ସ ଅଧିକାରୀଙ୍କୁ ରଖାଯିବ ବୋଲି ସେ କହିଛନ୍ତି।
ଅନ୍ୟ ଜଣେ ପରିବହନ ଅଧିକାରୀଙ୍କ କହିବାନୁଯାୟୀ, ଭୁବନେଶ୍ୱର ଆରଟିଓରେ ଦୈନିକ ୧୫୦ ଲର୍ନିଂ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଉଥିଲା। ଏବେ ସେହି ସଂଖ୍ୟା ୩ଶହକୁ ବୃଦ୍ଧି କରାଯାଇଛି। ଆଜିଠାରୁ ଦୁଇଜଣ ଲେଖା ଇନସ୍ୟୁରାନ୍ସ କର୍ମଚାରୀଙ୍କୁ ଆରଟିଓରେ ବସାଇବାର ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ ଲୋକ ରହିଥିବାରୁ ଏଠାରେ ଅଧିକ ଭିଡ଼ ରହୁଛି। ସେହିଭଳି ବ୍ରହ୍ମପୁର, ବାଲେଶ୍ୱର, କଟକ ଆଦି କେତୋଟି ସ୍ଥାନରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା କରାଯାଇଛି।
ଅନ୍ୟପକ୍ଷରେ ପରିବହନ ସଚିବ ଜି. ଶ୍ରୀନିବାସ ପୋଲିସ ଡିଜି ବିଜୟ କୁମାର ଶର୍ମା ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଚିଠି ଲେଖି ପୋଲିସ କର୍ମଚାରୀଙ୍କ ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି। ପରିବହନ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ, ଗାଡ଼ି ଚାଳକମାନଙ୍କୁ ଅଯଥାରେ ହଇରାଣ ନ କରିବା ପାଇଁ ଏସ୍‌ପି ଏବଂ ଡିସିପିଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଜାରି କରାଯାଉ। ସଂଶୋଧିତ ମୋଟର ଯାନ ଆଇନ-୨୦୧୯ ଲାଗୁ କରିବାବେଳେ ଲୋକଙ୍କୁ ପୋଲିସ ହଇରାଣ କରିବାର ବହୁ ଘଟଣା ସାମ୍ନାକୁ ଆସିଛି। ଟ୍ରାଫିକ ନିୟମର ପ୍ରାବଧାନ ଅନୁଯାୟୀ ଦାୟିତ୍ୱରେ ଥିବା କୌଣସି ପୋଲିସ ଅଧିକାରୀ ଯଦି ଭୁଲ୍‌ କରନ୍ତି ତେବେ ସେମାନଙ୍କଠାରୁ ଦୁଇଗୁଣା ଜରିମାନା ଆଦାୟ କରାଯିବ। ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶ ସମସ୍ତ ଏସ୍‌ପି ଏବଂ ଡିସିପିଙ୍କୁ ଜଣାଇବା ପାଇଁ ଡିଜିଙ୍କୁ ପରିବହନ ସଚିବ ଅନୁରୋଧ କରିଥିବା ଜଣାପଡିଛି।

Share