ପଲ୍ୟୁସନ୍‌ ସାର୍ଟିଫିକେଟ୍‌ ଲାଗି ଗାଡ଼ି ମାଲିକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ

ଚନ୍ଦ୍ରଗିରି,୨୦।୯(ଡି.ଏନ୍‌.ଏ.): ସରକାର ଟ୍ରାଫିକ ନିୟମ କଡ଼ାକଡ଼ି କରିବା ପରେ ସମଗ୍ର ରାଜ୍ୟର ଗାଡ଼ି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଅନ୍ୟପଟେ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ନିୟମକୁ ତିନି ମାସ କୋହଳ ବି କରିଛନ୍ତି ।
ଏହି ସୁଯୋଗରେ କିଛି ପ୍ରଦୂଷଣ କେନ୍ଦ୍ର ଗାଡ଼ି ବର୍ତ୍ତମାନ ଗାଁ ଗାଁ ବୁଲି ପଲ୍ୟୁସନ ସାର୍ଟିଫିକେଟ ଦେଉଛନ୍ତି।ଶୁକ୍ରବାର ଏକ ମାରୁତି ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ବାରିଆବନ୍ଧ ଖଳାରେ ପ୍ରଦୂଷଣ କେନ୍ଦ୍ର କରି ସାର୍ଟିଫିକେଟ ଦେଉଛି। କିନ୍ତୁ ଦିଆଯାଉଥିବା ଟଙ୍କା ରସିଦ୍‌ ଠାରୁ ୪୦ରୁ ୫୦ ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ହେଉଛି। ରସିଦ୍‌ଠାରୁ ଅଧିକ ଟଙ୍କା କାହିଁକି ନିଆଯାଉଛି ବୋଲି ପଚରାଯିବାରୁ ବ୍ରହ୍ମପୁରରୁ ଗାଡ଼ି ଆସିଥିବାରୁ ଭଡ଼ା ବାବଦକୁ ଅଧିକ ଟଙ୍କା ନିଆଯାଉଥିବା ସାର୍ଟିଫିକେଟ ଦେଉଥିବା କର୍ମଚାରୀ କହିଛନ୍ତି। ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ଦିଆଯିବା ସହ ପୁଣି ସପ୍ତାହ ପରେ ଚନ୍ଦ୍ରଗିରି ଅଞ୍ଚଳକୁ ଏହି ପଲ୍ୟୁସନ ଗାଡ଼ି ଆସିବ ବୋଲି ଲୋକଙ୍କଠାରୁ ଶୁଣିବାକୁ ମିଳୁଛି।
ସୂଚନାଯୋଗ୍ୟ, ଏହି ଅଞ୍ଚଳରେ ତିବତ୍ତୀୟ ଶରଣାର୍ଥୀଙ୍କଠାରୁ ଆରମ୍ଭ କରି ଆଦିବାସୀ ତଥା ସାଧାରଣ ଲୋକଙ୍କ ପାଖରେ ହଜାର ହଜାର ସଂଖ୍ୟାରେ ଯାନବାହନ ରହିଛି। ତେଣୁ ଏହି ଅଞ୍ଚଳକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ପଲ୍ୟୁସନ୍‌ ଟେଷ୍ଟିଂ ସେଣ୍ଟର ଖୋଲାଯାଇ ସରକାରୀ ନିୟମ ଅନୁଯାୟୀ ଟଙ୍କା ନେବାକୁ ସାଧାରଣରେ ଦାବି ହେଉଛି।