ପଲ୍ୟୁସନ ଚେକିଂ କୋହଳ ନିଷ୍ପତ୍ତି: ମାସେ ଯାଏ ହେବନି ଯାଞ୍ଚ, ଲୋକଙ୍କୁ ଅଯଥାରେ ହଇରାଣ ନ କରିବାକୁ ପରାମର୍ଶ

ଭୁବନେଶ୍ୱର,୬।୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି। ବିଶେଷକରି ଡ୍ରାଇଭିଂ ଲାଇସେନ୍ସ, ଇନ୍‌ସୁରାନ୍ସ ଏବଂ ପଲ୍ୟୁସନ୍‌ ପ୍ରମାଣପତ୍ର ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ଏହା ନ ଥିଲେ ଲୋକେ ଜରିମାନା ଦେଉଛନ୍ତି। ତେବେ ଯେଉଁମାନଙ୍କ ପାଖରେ ପଲ୍ୟୁସନ ପ୍ରମାଣପତ୍ର ନାହିଁ ସେମାନଙ୍କ ଲାଗି ଭଲ ଖବର। କାରଣ ଏକ ମାସ ପର୍ଯ୍ୟନ୍ତ ପଲ୍ୟୁସନ ଯାଞ୍ଚ କରାଯିବ ନାହିଁ। ଏହାକୁ କୋହଳ କରାଯାଇଥିବା ନେଇ ଶୁକ୍ରବାର ପରିବହନ ସଚିବ ଜି.ଶ୍ରୀନିବାସ ସୂଚନା ଦେଇଛନ୍ତି। ଏପରିକି ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବାକୁ ସେ ବିଭାଗୀୟ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ନଚେତ ଭୁଲରେ ଜରିମାନା ଆଦାୟ କରୁଥିବା କର୍ମଚାରୀ ଏପରିକି ସେ ଦୁଇଗୁଣା ଜରିମାନା ଦେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଆଇନ ଲାଗୁ ହେବା ପରେ ଜରିମାନା ଆଦାୟରେ ଓଡ଼ିଶା ଦେଶରେ ସବୁଠାରୁ ଆଗରେ ରହିଛି। ଗତ ୪ ଦିନ ମଧ୍ୟରେ ୪୦୮ଜଣ ଗାଡ଼ି ଚାଳକଙ୍କଠାରୁ ଜରିମାନା ବାବଦରେ ମୋଟ ୮୮ଲକ୍ଷ ୯୦ ହଜାର ୧୦୭ଟଙ୍କା ଆଦାୟ ହୋଇଛି। ଏଥିସହ ୪୬ ଗାଡ଼ିକୁ ସିଜ୍‌ କରାଯାଇଛି।