ମୁମ୍ବାଇ: ‘ପଲ୍ ପଲ୍ ଦିଲ୍ କେ ପାସ୍’ରେ ଅଭିନୟ ଜୀବନ ଆରମ୍ଭ କରିଛନ୍ତି ସନ୍ନି ଦେଓଲଙ୍କ ପୁତ୍ର କରନ ଦେଓଲ। କରନ ଶୁଟିଂସେଟ୍ରେ ଥିବାବେଳେ ତାଙ୍କ ଜେଜେବାପା ତଥା ବିଶିଷ୍ଟ ଅଭିନେତା ଧର୍ମେନ୍ଦ୍ର ଅଚାନକ ସେଠାରେ ପହଞ୍ଚତ୍ୟାଇଥିଲେ। ଜେଜେବାପାଙ୍କୁ ଅତର୍କିତ ଦେଖି ବିସ୍ମିତ ହୋଇଯାଇଥିଲେ କରନ୍। ଏ ସମ୍ପର୍କରେ କରନ କହନ୍ତି, ଶୁଟିଂରେ ଏକ କାର ସିନ୍ ଚାଲିଥିବାବେଳେ ପାଖରେ ବଡେ ପାପା(ଧର୍ମେନ୍ଦ୍ର) ଛିଡାହୋଇ ଯାଇଥିଲେ। ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ତୁରନ୍ତ କାର୍ରୁ ଓହ୍ଲାଇ ଆସି ତାଙ୍କ ପାଖକୁ ଗଲି ଏବଂ ଭାବୁଥିଲି ସେ ମୋ ଶୁଟିଂ କାଳେ ଦେଖିଦେଇ ନାହାନ୍ତି ତ! ଯଦି ଦେଖିଥିବେ ସହଜରେ ଗ୍ରହଣ କରିଥିବେ କି! ଏ ବିଷୟରେ ତାଙ୍କୁ ପ୍ରଶ୍ନ କରିବାରୁ ସେ କହିଲେ, ‘ବ୍ୟସ୍ତ ହେବା ଦରକାର ନାହିଁ। ସବୁ ଠିକ୍ ଅଛି।’ ଏହାପରେ ମୁଁ ଆଶ୍ୱସ୍ତ ହେଲି। ବଡେ ପାପା ଆମ ପାଇଁ ସବୁବେଳେ ଭଲ, ସ୍ନେହୀ ଏବଂ ସହଯୋଗୀ। ତାଙ୍କର ସ୍ବୀକୃତି ହିଁ ଯଥେଷ୍ଟ ବୋଲି କହିଛନ୍ତି ୨୭ବର୍ଷୀୟ କରନ୍। କରନ ଦେଓଲଙ୍କ ଅଭିନୀତ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଏକ ପ୍ରେମ କାହାଣୀ ଉପରେ ଆଧାରିତ। ଏହାର ନିର୍ଦ୍ଦେଶନା ଦେଉଛନ୍ତି କରନ୍ଙ୍କ ପିତା ସନ୍ନି ଦେଓଲ। ଉକ୍ତ ସିନେମା ସେପ୍ଟେମ୍ବର ୨୦ରେ ରିଲିଜ ହେବାର ଅଛି।