Categories: ମେଟ୍ରୋ

ପଶୁପକ୍ଷୀଙ୍କୁ ଖାଦ୍ୟ ଦେବ ବିଏମ୍‌ସି: ଖର୍ଚ୍ଚ ବାବଦକୁ ୩ ଲକ୍ଷ ୬୦ ହଜାର ଦେଲେ ସରକାର

ଭୁବନେଶ୍ୱର,୩୧ା୩(ବ୍ୟୁରୋ): ସାରା ଦେଶରେ ଲକ୍‌ ଡାଉନ୍‌ ଘୋଷଣା ଯୋଗୁ ବାହାରେ ବୁଲୁଥିବା ପଶୁପକ୍ଷୀମାନେ ଖାଇବାକୁ ପାଉନାହାନ୍ତିି। ସୋମବାର ରାଜ୍ୟ ସରକାର ସାରା ରାଜ୍ୟରେ ଥିବା ନିରାଶ୍ରୟ ପଶୁପକ୍ଷୀଙ୍କ ଖାଇବା ପାଇଁ ପ୍ୟାକେଜ୍‌ ଘୋଷଣା କରିବା ପରେ ଭୁବନେଶ୍ୱରରେ ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ଦାୟିତ୍ୱ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନେଇଛି। ଏ ବାବଦକୁ ସରକାର ପକ୍ଷରୁ ବିଏମ୍‌ସିକୁ ୩ ଲକ୍ଷ ୬୦ ହଜାର ଟଙ୍କାର ଅର୍ଥ ବ୍ୟୟ ଅଟକଳ ମଞ୍ଜୁର କରାଯାଇଥିବା ମଙ୍ଗଳବାର ଜଣାପଡ଼ିଛି। ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀଙ୍କ ଅଧ୍ୟକ୍ଷତାରେ ଏ ନେଇ ଆଲୋଚନା କରାଯିବା ସହ ବିଏମ୍‌ସି କିପରି ଭାବେ ଏହି କାର୍ଯ୍ୟକୁ ସଫଳ କରିବ ସେନେଇ ନକ୍ସା ପ୍ରସ୍ତୁତ କରାଯାଇଛି। ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଶେଷ ଭାବେ ଏକ ଦଳ ଗଠନ କରାଯାଇଛି। ଉକ୍ତ ଦଳ ଭୁବନେଶ୍ୱରର ବିଭିନ୍ନ ୱାର୍ଡ ବୁଲି ବାହାରେ ବୁଲୁଥିବା ପଶୁପକ୍ଷୀଙ୍କୁ ଖାଦ୍ୟ ଦେବେ ବୋଲି ସ୍ଥିର ହୋଇଛି। ପଶୁପକ୍ଷୀଙ୍କୁ ଖାଦ୍ୟ ଯୋଗାଉଥିବା ସେଚ୍ଛାସେବୀ ଅନୁଷ୍ଠାନ ଓ ସଦସ୍ୟଙ୍କ ସହ ମଧ୍ୟ ଆଲୋଚନା କରାଯାଇଛି। ଏଥିସହ ଯେଉଁମାନେ ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଦାନ କରିବାକୁ ଚାହୁଛନ୍ତି ସେନେଇ ବିଏମ୍‌ସି ସହ ଯୋଗାଯୋଗ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

Share