ପଶୁପକ୍ଷୀଙ୍କୁ ବଣ୍ଟାହେଲା ଜବତ ଜଳଖିଆ, ମିଠା

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଦର୍ପଣ ତହସିଲ ଅନ୍ତର୍ଗତ ଦର୍ପଣୀଗଡ଼ ବଜାରରେ ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢାଉ କରି ୩ଟି ଦୋକାନକୁ ସିଲ କରାଯାଇଛି। ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଓ ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ବଜାରରେ ସାମାଜିକ ଦୂରତା ଓ ନିଶିଦ୍ଧ ଦୋକାନଗୁଡ଼ିକ ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହ ଅଯଥା ବାଇକ ଧରି ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିଥିଲେ। ଜଳଖିଆ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସତ୍ତ୍ବେ ବିଜୟ କୁମାର ସାହୁ ଓ ଚଇନ ବାରିକଙ୍କ ଦୋକାନରେ ଜଳଖିଆ ବିକ୍ରି ଅଭିଯୋଗ ପାଇ ତାହାର ସତ୍ୟତା ପରଖି ଦୋକାନ ଦୁଇଟିକୁ ସିଲ କରି ଦେଇଥିଲେ। ସେହିପରି ସୁଧାକର ବାରିକଙ୍କ ସେଲୁନ୍‌କୁ ମଧ୍ୟ ସିଲ କରାଯାଇଥିଲା। ସମସ୍ତ ଦୋକାନୀ ଯେପରି ସାମାଜିକ ଦୂରତା ବଜାୟ ରଖନ୍ତି, ସେଥିପାଇଁ ସେମାନଙ୍କୁ ସଚେତନ କରାଯାଇଥିଲା। ଅପରପକ୍ଷେ ଜବତ ବରା, ଗୁଲଗୁଲା, ମିଠାକୁ କୁକୁର, ମାଙ୍କଡ ଓ ପଶୁପକ୍ଷୀଙ୍କୁ ବଣ୍ଟନ କରାଯାଇଥିଲା। ଏହି ଚଢ଼ାଉରେ ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ତହସିଲଦାର ବରଣେନ୍ଦୁ ମହାନ୍ତି, ବଡ଼ଚଣା ଥାନା ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ମହାପାତ୍ର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ।

Share