ପଶ୍ଚିମବଙ୍ଗରେ ଅମ୍ଫନ୍‌ ମୁକାବିଲା: ବଲାଙ୍ଗୀରର ୨୨ଜଣିଆ ଓଡ୍ରାଫ ଟିମ୍‌ଙ୍କୁ ପ୍ରଶଂସା

ବଲାଙ୍ଗୀର ଅଫିସ,୩।୬: ଗତ କିଛିଦିନ ପୂର୍ବରୁ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ସହର ଓ ସାରା ରାଜ୍ୟରେ ଅନେକ କ୍ଷୟକ୍ଷତି ଘଟାଇଥିଲା। ଏଥିରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ି ପଶ୍ଚିମବଙ୍ଗର ଅନେକ ରାସ୍ତା ଅବରୋଧ କରିଥିଲା। ଏହାସହ କେତେଗୁଡ଼ିଏ ବାସଗୃହ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଭାଙ୍ଗି ଧନଜୀବନ ଅସ୍ତବ୍ୟସ୍ତ କରି ପକାଇଥିଲା।
ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଓଡ଼ିଶାର ଓଡ୍ରାଫ ଟିମ୍‌ ପଶ୍ଚିମବଙ୍ଗରେ ସହଯୋଗ କରିବା ପାଇଁ ଆଗେଇ ଯାଇଥିଲେ। ତେବେ ବଲାଙ୍ଗୀର ଜିଲାର କାର୍ଯ୍ୟରତ ରିଜର୍ଭ ପୋଲିସର ୨୨ ଜଣିଆ ଓଡ୍ରାଫ ବାହିନୀ କରୋନା ଭଳି ମହାମାରୀ ସମୟରେ ସେଠାକୁ ଯାଇ ଦିନରାତି ପରିଶ୍ରମ କରୁଛନ୍ତି। ସେମାନେ ପଶ୍ଚିମବଙ୍ଗର ବାରାସାତ ଜିଲାର ହାବ୍ରା ବ୍ଲକ, ଅଶୋକନଗର, ଗୁମ୍ମା ଆଦି ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ଏ ନେଇ ବଲାଙ୍ଗୀର ଜନସାଧାରଣ ଓ ଜିଲା ପୋଲିସ ବାହିନୀ ପକ୍ଷରୁ ପ୍ରଶଂସା କରାଯାଇଛି ।

Share