Categories: ଜାତୀୟ

ପଶ୍ଚିମବଙ୍ଗରେ ଟିଏମ୍‌ସି ଆନ୍ଦୋଳନ ଆଜି: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହଁ।ମୁହିଁ

କୋଲ୍‌କାତା,୧୬ା୧୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମ୍ବେଡକରଙ୍କ ପ୍ରତିମୂର୍ତ୍ତିଠାରୁ ଏକ ବିଶାଳ ଶୋଭାଯାତ୍ରା କରିବେ। ରାଜ୍ୟରେ ସିଏଏ ବିରୋଧୀ ଆନ୍ଦୋଳନ ହିଂସାତ୍ମକ ହୋଇଥିବାରୁ ରବିବାର ରାତିରେ ମମତା ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କର ଏକ ଜରୁରୀ ବୈଠକ ଡାକିଥିଲେ। ଅଧିକାରୀମାନଙ୍କୁ ହାଇଆଲର୍ଟରେ ରହିବା ପାଇଁ ମମତା ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାଳୀଘାଟ ବାସଭବନରେ ଅଢ଼େଇ ଘଣ୍ଟା ଧରି ଅନୁଷ୍ଠିତ ଆଲୋଚନାରେ ମମତା କହିଛନ୍ତି, ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ଭଙ୍ଗାରୁଜା, ପୋଡ଼ାଜଳା କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ। ବୈଠକରେ ମୁଖ୍ୟ ସଚିବ ରାଜୀବ ସିହ୍ନା, ଗୃହ ସଚିବ ଅଲପାନ ବନ୍ଦୋପାଧ୍ୟାୟ, ଡିଜିପି ବୀରେନ୍ଦ୍ର, ଏଡିଜି (ଆଇନ ଶୃଙ୍ଖଳା) ଜ୍ଞାନଓ୍ବନ୍ତ ସିଂ, କୋଲକାତା ପୋଲିସ କମିଶନର ଅନୁଜ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ଆମେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଥିବାବେଳେ କେତେକ ଧାର୍ମିକ ମୌଳବାଦୀ ଓ ସାମ୍ପ୍ରଦାୟିକ ଚିନ୍ତାଧାରାସମ୍ପନ୍ନ ଦଳ ରାଜ୍ୟରେ ହିଂସା ଉସୁକାଉଛନ୍ତି। ହିଂସାକାରୀଙ୍କୁ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା କହିଛନ୍ତି। ରାଜଭବନରେ ରାଜ୍ୟପାଳ ଜଗଦୀପ ଧନଖର ଗଣମାଧ୍ୟମକୁ କହିଛନ୍ତି, ଏନ୍‌ଆର୍‌ସି ଏବଂ ସିଏଏକୁ ରାଜ୍ୟରେ ଲାଗୁ କରାଇଦିଆଯିବ ନାହିଁ ବୋଲି ମମତା ଯେଉଁ ବିଜ୍ଞାପନ ଦେଇଛନ୍ତି, ତାକୁ ପ୍ରଥମେ ପ୍ରତ୍ୟାହାର କରନ୍ତୁ। ଜନସାଧାରଣଙ୍କ ଅର୍ଥରେ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏପରି ଅସାମ୍ବିଧାନିକ ବିଜ୍ଞାପନ ଦେଇପାରିବେ ନାହିଁ। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଲାଗିରହିଥିବା ବିକ୍ଷୋଭ ବିରୋଧରେ ବିଚାରବିଭାଗୀୟ ତଦନ୍ତ କରାଇବାକୁ ରାଜ୍ୟପାଳଙ୍କୁ କଂଗ୍ରେସ ପକ୍ଷରୁ ପରାମର୍ଶ ଦିଆଯାଇଛି। ବିକ୍ଷୋଭ ବେଳେ ୪ ଜଣଙ୍କ ଜୀବନ ଗଲାଣି। ତେଣୁ ଗୁଆହାଟୀ ହାଇକୋର୍ଟର ଜଣେ ବିଚାରପତିଙ୍କ ଦ୍ୱାରା ଏହାର ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି।

Share