Categories: ଜାତୀୟ

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : :ଗୁରୁବାର ରାତିରୁ ପ୍ରଚାର ବନ୍ଦ

ନୂଆଦିଲ୍ଲୀ,୧୬ା୫: ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ନିର୍ବାଚନ କମିଶନ (ଇସି) ସେଠାରେ ପ୍ରଚାରକୁ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗର ୯ ଆସନରେ ଭୋଟ ଗ୍ରହଣ କରାଯିବ। ଏଥିପାଇଁ ଅନ୍ୟ ରାଜ୍ୟଗୁଡିକରେ ୧୭ ତାରିଖ ଅପରାହ୍ନ ୬ଟାରେ ପ୍ରଚାର ଶେଷ ହେବାକୁ ଥିବାବେଳେ ପଶ୍ଚିମବଙ୍ଗରେ ୧୬ ତାରିଖ ରାତି ୧୦ଟାରୁ ପ୍ରଚାର ବନ୍ଦ କରିବାକୁ କୁହାଯାଇଛି। ଗତ ୨୪ ଘଣ୍ଟା ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଭାଜପା କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଥିବାରୁ ଇସି ସମ୍ବିଧାନର ଧାରା ୩୨୪ ଅନୁଯାୟୀ ସେଠାରେ ଗୋଟିଏ ଦିନ ପୂର୍ବରୁ ପ୍ରଚାର ଶେଷ କରିବାକୁ କହିଛନ୍ତି। ପ୍ରଥମଥର ଲାଗି ଇସି ଏଭଳି କ୍ଷେତ୍ରରେ ସମ୍ବିଧାନର ଧାରା ୩୨୪ ପ୍ରୟୋଗ କରିଛି। ଏହା ବ୍ୟତୀତ ପଶ୍ଚିମବଙ୍ଗର ପ୍ରମୁଖ ସଚିବ (ଗୃହ) ଆତେୟ ଭଟ୍ଟାଚାର୍ଯ୍ୟ ଏବଂ ଅତିରିକ୍ତ ମହାନିର୍ଦ୍ଦେଶକ ସିଆଇଡି ରାଜୀବ କୁମାରଙ୍କୁ ତାଙ୍କ ବିଭାଗରୁ କାଢ଼ିନିଆଯାଇଛି। ଗୁରୁବାର ରାତି ୧୦ରୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଦମ୍‌ଦମ୍‌, ବରସାତ୍‌,

ବସିରହାଟ, ଜୟନଗର, ମଥୁରାପୁର, ଯାଦବପୁର, ଡାଇମଣ୍ଡ ହାର୍ବୋର, ଦକ୍ଷିଣ ଓ ଉତ୍ତର କୋଲକାତା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବନ୍ଦ ରହିବ।
ଖ୍ୟାତନାମା ସମାଜ ସଂସ୍କାରକ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଏଥିପାଇଁ ଶାସକ ଦଳ ଟିଏମ୍‌ସି ଭାଜପାକୁ ଦାୟୀ କରିବା ସହ ଏନେଇ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଅନ୍ୟପକ୍ଷରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କାରକେଡ୍‌ ଉପରେ ଆକ୍ରମଣ ଘଟଣାରେ ଭାଜପା ପକ୍ଷରୁ ଦିଲ୍ଲୀର ଜନ୍ତରମନ୍ତରରେ ନୀରବ ପ୍ରତିବାଦ କରାଯାଇଥିଲା। ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଇସି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Share