କୋଲକତା,୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ହୋଇଛି। ଦଳ ପଶ୍ଚିମବଙ୍ଗର ୪୨ ଲୋକ ସଭା ଆସନ ମଧ୍ୟରୁ ୧୮ରେ ବିଜୟୀ ହୋଇଥିବାବେଳେ ତୃଣମୂଳ ଖାତାକୁ ୨୨ ଆସନ ଯାଇଛି। ଆସନ୍ତା ୨୦୨୧ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଠାରେ ଭାଜପା ସରକାର ଗଠନ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଭାଜପା ଏଠାରେ ୨୯୪ ବିଧାନସଭା ଆସନ ମଧ୍ୟରେ ୨୫୦ ହାତେଇବା ଲାଗି ଉଦ୍ୟମ କରୁଛି। ସେଥିପାଇଁ ଦଳ ପକ୍ଷରୁ ମିଶନ-୨୫୦ ଉପରେ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ତୃଣମୂଳକୁ ପରାଜିତ କରିବା ପାଇଁ ଭାଜପା ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା କୁହାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ସଫଳତା ଧାରା ବଜାୟୀ ରଖିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ ଜାରି ରଖିଛନ୍ତି। ଏଠାରେ ବିଧାନସଭା ନିର୍ବାଚନ ଆଉ ପ୍ରାୟ ଦୁଇବର୍ଷ ପରେ ହେବ। ତେବେ ଧୀରେ ଧୀରେ ଏଠାକାର ରାଜନୈତିକ ସ୍ଥିତି ବେଶ୍ ସକ୍ରିୟ ହେଉଥିବା କୁହାଯାଉଛି। ରାଜ୍ୟରେ ଭାଜପା-ତୃଣମୂଳ ମଧ୍ୟରେ ହିଂସାକାଣ୍ଡ ଲାଗି ରହିଛି। ଏଥିପାଇଁ ଭାଜପାକୁ ଦାୟୀ କରିଛି ତୃଣମୂଳ।