କୋଲକାତା,୧୪।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ପୁଣି ଏକ ବିବାଦୀୟ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ମମତା କହିଛନ୍ତି ପଶ୍ଚିମବଙ୍ଗକୁ ଆଗକୁ ନେବାକୁ ହେଲେ ଏଠାରେ ରହୁଥିବା ଲୋକେ ବଙ୍ଗଳା ଭାଷା କହିବା ଜରୁରୀ। ନଚେତ୍ ସେମାନଙ୍କର ପଶ୍ଚିମବଙ୍ଗରେ ରହିବାର ଅଧିକାର ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି ମୁଁ ଯେତେବେଳେ ବିହାର, ଉତ୍ତର ପ୍ରଦେଶ ଓ ପଞ୍ଜାବ ଯାଏ ସେଠାକାର ଭାଷା କହିଥାଏ। ତେଣୁ ପଶ୍ଚିମବଙ୍ଗରେ ରହୁଥିବା ଲୋକେ କାହିଁକି ବଙ୍ଗଳା କହିବେ ନାହିଁ। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହିଂସାତ୍ମକ ପରିସ୍ଥିତି ଲାଗି ରହିଥିବା ବେଳେ ଏବେ ଜୁନିୟର ଡାକ୍ତରଙ୍କ ଅନଶନ ବି ଅଶାନ୍ତ ବାତାବରଣ ସୃଷ୍ଟି କଲାଣି। ଆଉ ଏହାରି ଭିତରେ ମମତାଙ୍କ ଏଭଳି ବିବାଦୀୟ ବୟାନ ପରିସ୍ଥିତିକୁ ଆହୁରି ଖରାପ କରିପାରେ ବୋଲି ଆଲୋଚନା ହେଉଛି।