Categories: ଜାତୀୟ

ପଶ୍ଚିମବଙ୍ଗରେ ସୁରକ୍ଷା ବ୍ୟବସ୍ଥା କଡାକଡି: ୯ଟି ଲୋକ ସଭା ଆସନ ପାଇଁ ୮୦୦ କମ୍ପାନୀ ସୁରକ୍ଷାବଳ

କୋଲକତା, ୧୭।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ୭ଟି ଯାକ ପର୍ଯ୍ୟାୟରେ ଲୋକ ସଭା ନିର୍ବାଚନ ହେଉଛି। ରାଜ୍ୟର ୪୨ ଆସନ ମଧ୍ୟରୁ ୩୩ଟିରେ ମତଦାନ ଶେଷ ହୋଇଥିବାବେଳେ ରବିବାର ଶେଷ ପର୍ଯ୍ୟାୟରେ ଅବଶିଷ୍ଟ ୯ ଆସନ ଲାଗି ଭୋଟଗ୍ରହଣ କରାଯିବ। ଏଥିସକାଶେ ଗୁରୁବାର ରାତି ୧୦ଟାରେ ପ୍ରଚାର ଶେଷ ହୋଇଛି। ଶେଷ ପଯର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ୮୦୦ରୁ ଉର୍ଦ୍ଧ୍ୱ କମ୍ପାନୀ ସୁରକ୍ଷା ବଳ ମେ ୧୯ ଦିନ ନିୟୋଜିତ ରହିବେ ବୋଲି ଜଣାପଡିଛି। ନିର୍ବାଚନବେଳେ ହିଂସା ଘଟିବାର ସମ୍ଭାବନା ଥିବାରୁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଅନ୍ତିମ ପର୍ଯ୍ୟାୟ ର୍ନିବାଚନରେ ଦମ ଦମ, ବରସାତ୍, ବସିରହାଟ, ଜୟନଗର, ମଥୁରାପୁର, ଡାଇମଣ୍ଡ ହାର୍ବର, ଯାଦବପୁର, କୋଲକାତା (ଦକ୍ଷିଣ) ଓ କୋଲକାତା (ଉତ୍ତର) ଆସନରେ ଭୋଟଗ୍ରହଣ କରାଯିବ। ବିବାଦର ସୂତ୍ରପାତ ହୋଇଥିଲା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ କୋଲକାତା ରୋଡ ଶୋ’ରୁ। ଶାହଙ୍କ ରୋଡ ଶୋ ବେଳେ ଭାଜପା ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ହିଂସାକାଣ୍ଡ ଯୋଗୁ ନିର୍ବାଚନ କମିଶନ (ଇସି) ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ପ୍ରଚାର ଉପରେ କଟକଣା ଜାରି କରିଥିଲେ। ପ୍ରଚାର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆରୋପ ପ୍ରତ୍ୟାରୋପରେ ପରସ୍ପରକୁ ପୋତି ଦେଇଥିଲେ।

Share