କୋଲକାତା,୨୩।୧୨: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ତାଙ୍କୁ ଛାତ୍ରଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ସୂଚନାଯୋଗ୍ୟ, ଯାଦବପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଥିବା କୁଳପତିମାନଙ୍କର ଏକ ବୈଠକରେ ଯୋଗଦେବାକୁ ରାଜ୍ୟପାଳ ଜଗଦୀପ ଧନଖର ଯାଇଥିଲେ। ଏହି ଅବସରରେ ସେ ଛାତ୍ରଙ୍କ ଆକ୍ରୋଶର ଶିକାର ହୋଇଥିଲେ। ବିଶ୍ୱବିଦ୍ୟାଳୟରେ ପହଞ୍ଚିବା ମାତ୍ରେ ଉତ୍ତ୍ୟକ୍ତ ଛାତ୍ର ତାଙ୍କୁ ଘେରିବା ସହ କଳାପତାକା ପ୍ରଦର୍ଶନ କରି ‘ଗୋ-ବ୍ୟାକ୍’, ‘ଗୋ-ବ୍ୟାକ୍’ ସ୍ଲୋଗାନ ଦେଇଥିଲେ। ଏହି ବିରୋଧ ଯୋଗୁ ସେ ଦୀର୍ଘ ୪୫ ମିନିଟ୍ ପର୍ଯ୍ୟନ୍ତ କାର୍ରେ ଫସି ରହିଥିଲେ। ଏହାପରେ ସୁରକ୍ଷାକର୍ମୀ ତାଙ୍କୁ ବାହାରକୁ ବାହାର କରିଥିଲେ।