ପଶ୍ଚିମବଙ୍ଗ: ୨ ଦିନରେ ୮୦ ମୃତ

କୋଲକାତା,୭ା୫: ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୪୪କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ଏଠାରେ ସର୍ବାଧିକ ରହିଛି। ଗତ ଦୁଇଦିନରେ ଏହି ରାଜ୍ୟରେ ୮୦ରୁ ଅଧିକ ଲୋକ କୋଭିଡ୍‌-୧୯ରେ ପ୍ରାଣ ହରାଇଲେଣି। ମଙ୍ଗଳବାର ୭୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କଠାରେ ଅନ୍ୟାନ୍ୟ ରୋଗ ଥିବା ପଶ୍ଚିମବଙ୍ଗ ସରକାର କହିଥିଲେ। ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧୪୦ରେ ପହଞ୍ଚତ୍ଛି। ପୂର୍ବରୁ ହୋଇଥିବା ୧୦୫ ମୃତ୍ୟୁ ଘଟଣାରେ ୩୩ଟି ସିଧାସଳଖ କରୋନା ମୃତ୍ୟୁ ଓ ୭୨ଟି କରୋନା ସହିତ ଅନ୍ୟାନ୍ୟ ରୋଗ କାରଣରୁ ହୋଇଥିଲା ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଅଡିଟ୍‌ କମିଟି ରିପୋର୍ଟ ଦେଇଥିଲା। ପଶ୍ଚିମବଙ୍ଗରେ କରୋନା ମୃତ୍ୟୁହାର ସର୍ବାଧିକ ହେବାର କାରଣ କମ୍‌ ପରୀକ୍ଷା, ଦୁର୍ବଳ ତଦାରଖ ଓ ଟ୍ରାକିଂ ବୋଲି କୁହାଯାଉଛି। ସେଠାକୁ ପରିଦର୍ଶନରେ ଯାଇଥିବା କେନ୍ଦ୍ରୀୟ ଟିମ୍‌ କୋଭିଡ୍‌-୧୯ ସ୍ଥିତି ସମ୍ପର୍କରେ ଦେଇଥିବା ରିପୋର୍ଟରୁ ଏହା ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୮୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୋମବାର ସନ୍ଧ୍ୟାରୁ ବିଭିନ୍ନ ହସ୍ପିଟାଲରୁ ୪୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ମୋଟ ୩୬୪ ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି। ପଶ୍ଚିମବଙ୍ଗରେ ମୋଟ ୨୭,୫୭୧ ନମୁନା ପରୀକ୍ଷା କରାଯାଇଛି। ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯,୩୯୧ରେ ପହଞ୍ଚତ୍ଛନ୍ତି।

Share