ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ଦଧିବାମନଙ୍କ ସୁନାବେଶ

ଭଟଲି,୧୩।୭(ଡି.ଏନ୍‌.ଏ): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ଧାମରେ ପ୍ରଭୁ ଶ୍ରୀଶ୍ରୀ ଦଧିବାମନଙ୍କ ନବଦିନାମତ୍କ ଗୁଣ୍ଡିଚା ଯାତ୍ରା ସମାପନ ହୋଇଯାଇଛି । ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଶୁକ୍ରବାର ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରାତିରେ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ ।ଅଭିମାନିନୀ ମହାଲକ୍ଷ୍ମୀ ଅଭିମାନ କରି ବାଟ ଓଗାଳି ଥିଲେ ସୁଦ୍ଧା ବୁଝାଶୁଝା ପରେ ଜୟବିଜୟ ଦ୍ୱାର ଉନ୍ମୁକ୍ତ କରିଥିଲେ। ଏହାପରେ ପ୍ରଭୁ ରତ୍ନସିଂହାସନରେ ବିଜେ କରିଥିଲେ ।ତେବେ ଶନିବାର ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଠାକୁର ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି । ଏଥିପାଇଁ ଶନିବାର ପ୍ରତ୍ୟୁଷରୁ ପ୍ରଭୁଙ୍କୁ ଦୈନିକ ପୂଜାନୀତି ସମାପନ ପରେ ତାଙ୍କୁ ମନ୍ଦିର ପୁରୋହିତମାନେ ବିଭିନ୍ନ ସୁନା ଅଳଙ୍କାର ଯଥା ସୁନା ମୁକୁଟ, ସୁନା ପଇତା, ସୁନା ଭୁଜ, ସୁନା ଲଲାଟ ପାଟି, ସୁନା ମଥାମଣି ଓ ସୁନା ଟିକିଲି ଆଦି ଲାଗି କରିଥିଲେ। ପ୍ରଭୁ ବର୍ଷକରେ ପାଞ୍ଚଥର ସୁନାବେଶ ହେଉଥିଲେ ସୁଦ୍ଧା ଏହି ବାହୁଡ଼ାଯାତ୍ରାର ପରଦିନ ତଥା ଏକାଦଶୀ ତିଥିର ସୁନାବେଶର ବିଶେଷ ମାହାତ୍ମ୍ୟ ରହିଥିବାରୁ ଏହି ବେଶ ଦର୍ଶନ ଲାଗି ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର ସମେତ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଛି।