ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି: ୧୩ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୩।୬(ବ୍ୟୁରୋ): ସୋମବାର ରାଜ୍ୟର ୧୩ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ଗଜପତି ଓ ଗଞ୍ଜାମ। ପୂର୍ବାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏ ଏହିସବୁ ଜିଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଉପକୂଳ ଓଡ଼ିଶାରେ ତାତି ସାମାନ୍ୟ ହ୍ରାସ ପାଇଛି। କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ବାlଲେଶ୍ୱର ଆଦି ଜିଲାରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ହେଉଛି। ଏଥିଯୋଗୁ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି। ତେବେ ଆର୍ଦ୍ରତା ବୃଦ୍ଧି ପାଇବା ଯୋଗୁ ଗୁଳୁଗୁଳି ଜାରି ରହିଛି। ଆସନ୍ତା ୧୦ ତାରିଖ ଯାଏ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ
ତାତିର ପ୍ରକୋପ ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରାଯାଉଛି।

Share