ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କଲେ ମୋଦି

ଭବାନୀପାଟଣା, ୩୧।୫ (ଡି.ଏନ୍‌.ଏ.): ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ବିଜେଡିର ଅସାଧାରଣ ସଫଳତା ଭିତରେ ଭାଜପା ବଞ୍ଚାଇ ରଖିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାରୁ ଭାଜପାର କଳାହାଣ୍ଡି ସାଂସଦ ଭାବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜୟୀ ହୋଇଥିଲେ ହେଁ ତାଙ୍କୁ ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ଦିଆଯାଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନିରାଶଭାବ ଦେଖାଦେଇଛି। ୨୦୧୪ରେ ରାଜ୍ୟର ୨୧ଟି ଲୋକ ସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନ ଭାଜପା ଜିତିଥିଲା। ତାହା ଥିଲା ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼। ସେଥିରୁ ସୁନ୍ଦରଗଡ଼ ସାଂସଦଭାବେ ଜୁଏଲ ଓରାମ ବିଜୟୀ ହୋଇ କେନ୍ଦ୍ରରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ବି ନବୀନ ଝଡ଼ ସତ୍ତ୍ୱେ ପଶ୍ଚିମ ଓଡ଼ିଶାରେ ଭାଜପାକୁ ବଡ଼ ସଫଳତା ମିଳିଛି। ୫ଟି ଯାକ ଲୋକ ସଭା ଆସନ ଭାଜପା ହାତେଇପାରିଛି। ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରୁ ଜଣେ କାହାକୁ ମୋଦି ମନ୍ତ୍ରୀ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ବରଂ ପୂର୍ବରୁ ଅଟଳବିହାରୀ ବାଜପେୟୀ ଏବଂ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପାଳି ସରକାରରେ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ବରିଷ୍ଠ ଆଦିବାସୀ ନେତା ଜୁଏଲ୍‌ ଓରାମ ବି ନିଜର ମନ୍ତ୍ରୀପଦ ହରାଇଛନ୍ତି। ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ, ୫ଥର ସାଂସଦ, ୨ ଥର ବିଧାୟକ, ଦଳର ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ ସମ୍ପାଦକ ଆଦି ପଦରେ ରହିଥିବା ଜୁଏଲ ଚଳିତ ନିର୍ବାଚନରେ ୨ଲକ୍ଷରୁ ଅଧିକ ଭୋଟରେ କଂଗ୍ରେସର ଜର୍ଜ ତିର୍କୀଙ୍କୁ ହରାଇଥିଲେ। କିନ୍ତୁ ସେ ମନ୍ତ୍ରୀ ହେବାରୁ ବଞ୍ଚତ୍ତ ହୋଇଛନ୍ତି। ଓଡ଼ିଶାରୁ ଧର୍ମେନ୍ଦ୍ରଙ୍କ ସହ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ବରଗଡ଼ରୁ ଜିତିଥିବା ଦଳର ରାଷ୍ଟୀୟ ସମ୍ପାଦକ ତଥା ପୂର୍ବତନ ରାଜ୍ୟ ସଭାପତି ସୁରେନ୍ଦ୍ର ପୂଜାରୀ, କଳାହାଣ୍ଡିରୁ ଜିତିଥିବା ବର୍ତ୍ତମାନର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ୪ ଥରର ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ପ୍ରମୁଖଙ୍କୁ ବି ମୋଦିଙ୍କ ଦ୍ୱିତୀୟ ପାଳି ମନ୍ତ୍ରିମଣ୍ଡଳ ପାଇଁ ବିଚାରକୁ ନିଆଯାଇ ନାହିଁ। ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ନିରାଶ ଭାବ ପ୍ରକାଶ ପାଇଛି।

Share