ପଶ୍ଚିମ ଓଡ଼ିଶାରେ ଧାନର ଅଭାବୀ ବିକ୍ରି ନେଇ ବିଧାନସଭାରେ ଉଦ୍‌ବେଗ: ପଦକ୍ଷେପ ନେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): ଧାନ ଅମଳ ହୋଇ ବାହାରେ ପଡ଼ି ପଡ଼ି ଗଜା ହେଲାଣି। ଧାନ ରଖିବା ପାଇଁ ମଣ୍ଡିର କୌଣସି ବ୍ୟବସ୍ଥା ନାହିଁ। ଚାଷୀଙ୍କଠାରୁ ସରକାର ଧାନ କିଣୁ ନ ଥିବାରୁ ଅବସ୍ଥା ସାଂଘାତିକ ହେଲାଣି। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ସୋନପୁର ଆଦି ଜିଲାରେ ଧାନ ବିକ୍ରି ହୋଇ ନ ପାରି ଗଜା ହୋଇଗଲାଣି। ସରକାର ତୁରନ୍ତ ଧାନ କିଣିବାକୁ ବ୍ୟବସ୍ଥା କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଦାବି କହିଛନ୍ତି।
ଶୂନ୍ୟକାଳରେ ଧାନର ଅଭାବୀ ବିକ୍ରିକୁ ନେଇ ପ୍ରଦୀପ୍ତ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମିଲର ଓ ଅଫିସରମାନଙ୍କ ସହ ବିଧାୟକମାନେ ମିଶିଯାଉଛନ୍ତି। ଆମ କଥା ବିଧାୟକମାନେ ଉଠାଉ ନାହାନ୍ତି ବୋଲି ଚାଷୀ ଅଭିଯୋଗ କଲେଣି। ଆମେ ଜନପ୍ରତିନିଧି ଚାଷୀମାନଙ୍କ ସମସ୍ୟା ସମାଧାନ କରିପାରୁ ନାହୁଁ। କୁଇଣ୍ଟାଲ ପିଛା ୪ରୁ ୧୧ କେଜି ଧାନ କଟାଯାଉଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ୫ ଟଙ୍କିଆ ଆହାର ଖାଇବାକୁ ଦେଇଦେଲେ ରାଜ୍ୟର ଉନ୍ନତି ହେବ ନାହିଁ। ଚାଷୀଙ୍କ ସମସ୍ୟା ବୁଝିବାକୁ ହେବ। ସେମାନଙ୍କ ଧାନ କିପରି ବିକ୍ରି ହେବ ସେ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିରୋଧୀ ଦଳ ନେତା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଅନୁରୋଧ କରିଥିଲେ।
ଭାଜପା ସଭ୍ୟ ଜୟନାରାୟଣ ମିଶ୍ର ମଧ୍ୟ ଧାନର ଅଭାବୀ ବିକ୍ରିକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଧାନ ବର୍ଷା ଯୋଗୁ ବେରଙ୍ଗ ହେବା ସହିତ ଆର୍ଦ୍ରତା ବଢ଼ିଗଲାଣି। ତୁରନ୍ତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଚାଷୀଙ୍କଠାରୁ ଧାନ କିଣନ୍ତୁ ବୋଲି ସେ ଦାବି କରିଥିଲେ। ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ କହିଥିଲେ ଯେ, ଗତ ବର୍ଷରୁ ଧାନ ବିକିଥିବା ଚାଷୀମାନେ ଏ ପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି। ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର। ବିରୋଧୀ ଦଳ ନେତାଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ପାତ୍ର ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସମବାୟ ବିଭାଗ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Share